Categories: ଖେଳ

ଯୁବରାଜଙ୍କୁ ଟପିଲେ ହିଟ୍‌ମ୍ୟାନ୍‌

ପର୍ଥ,୨୮।୧୦: ଟି-୨୦ ବିଶ୍ୱକପରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ସୁପର -୧୨ ରାଉଣ୍ଡର ଗ୍ରୁପ -୨ରେ ପାକିସ୍ତାନ ପରେ ଭାରତ ମଧ୍ୟ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ ଇଣ୍ଡିଆ ଗ୍ରୁପ -୨ର ଶୀର୍ଷରେ ପହଞ୍ଚିଛି। ଏହି ମ୍ୟାଚରେ ଭାରତୀୟ ଦଳର ବ୍ୟାଟିଂ ଭଲ ଥିଲା। ଅଧିନାୟକ ରୋହିତଙ୍କ ବ୍ୟତୀତ ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ।
ରୋହିତ ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟରର ୨୯ତମ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୩୯ ବଲରେ ୫୩ ରନ ସଂଗ୍ରହ କରିଥିଲେ। ରୋହିତ ତାଙ୍କ ଇନିଂସରେ ୪ଟି ଚୌକା ଓ ୩ଟି ଛକା ମାରିଥିଲେ। ରୋହିତ ତାଙ୍କ ଇନିଂସ ସମୟରେ ଅନେକ ରେକର୍ଡ କରିଥିଲେ।
ଟି -୨୦ ବିଶ୍ୱକପରେ ରୋହିତ ଭାରତ ପାଇଁ ସର୍ବାଧିକ ଛକା ମାରିଥିବା ଖେଳାଳି ହୋଇଛନ୍ତି। ସେ ଏପର୍ଯ୍ୟନ୍ତ ଟି-୨୦ ବିଶ୍ୱକପରେ ୩୫ଟି ମ୍ୟାଚରେ ୩୪ଟି ଛକା ମାରିଛନ୍ତି। ଏହି ପରିପ୍ରେକ୍ଷୀରେ ରୋହିତ ଭାରତର ପୂର୍ବତନ କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କୁ ପଛରେ ପକାଇ ଦେଇଛନ୍ତି। ୩୧ ଟି-୨୦ ବିଶ୍ୱକପ ମ୍ୟାଚରେ ଯୁବରାଜ ୩୩ ଛକା ମାରିଥିଲେ। ୱେଷ୍ଟଇଣ୍ଡିଜ୍‌ର କ୍ରିସ ଗେଲ ଟି-୨୦ ବିଶ୍ୱକପ୍‌ରେ ସର୍ବାଧିକ ଛକା ମାରିବା ରେକର୍ଡ ରଖିଛନ୍ତି। ସେ ଏହି ଟୁର୍ନାମେଣ୍ଟରେ ୩୩ଟି ମ୍ୟାଚରେ ୬୩ଟି ଛକା ମାରିଛନ୍ତି। ରୋହିତ ଦୁଇ ନମ୍ବରରେ ଏବଂ ଯୁବରାଜ ସିଂ ତୃତୀୟ ସ୍ଥାନରେ ଅଛନ୍ତି।

 

Share