Categories: ଖେଳ

ହାତରେ ପଟି ବାନ୍ଧି ଶେଷ ଯାଏ ଲଢ଼ିଲେ

ଢାକା, ୭ା୧୨: ମ୍ୟାଚ୍‌ ଚାଲିଥିବା ବେଳେ ଆହତ ହେଲେ। ହାତରେ ପଟି ବାନ୍ଧି ମଇଦାନକୁ ଓହ୍ଲାଇ ଶେଷ ଯାଏ ଲଢ଼ିଲେ। ବାଲାଂଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା କଠିନ ସମୟରେ ୯ମ ସ୍ଥାନରେ ବ୍ୟାଟିଂ କରିବାକୁ ଆସି ୨୮ ବଲ୍‌ରେ ୫୧ ରନ୍‌ କରିଥିଲେ। ହେଲେ ସେ ମ୍ୟାଚ୍‌କୁ ଜିତାଇ ପାରି ନ ଥିଲେ।

ବାଲାଂଦେଶ ଇନିଂସର ଦ୍ୱିତୀୟ ଓଭରରେ ରୋହିତ ଆହତ ହୋଇଥିଲେ। ବାମ ହାତ ଆଙ୍ଗୁଠିରୁ ରକ୍ତ ବାହାରିଥିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇ ଏକ୍ସରେ କରାଯାଇଥିଲା। ରୋହିତଙ୍କ ଅବସ୍ଥାକୁ ଦେଖି କୋହଲି ତାଙ୍କ ସ୍ଥାନରେ ଓପନିଂ ପାଇଁ ଆସିଥିଲେ।

୨୭୨ ରନ୍‌ ଟାର୍ଗେଟ ପିଛା କରୁଥିବା ଭାରତ ୨୦୭ରେ ୭ ଉଇକେଟ ହରାଇଥିଲା। ରୋହିତ ୯ମ ସ୍ଥାନରେ ବ୍ୟାଟିଂ ପାଇଁ ଆସିଥିଲେ। ସେତେବେଳେ ଦଳକୁ ଜିତିବା ଲାଗି ୫୧ ବଲ୍‌ରେ ୬୫ ରନର ଆବଶ୍ୟକତା ଥିଲା। ରୋହିତ ଆହତ ଥିବା ସତ୍ତ୍ୱେ ଭଲ ଖେଳିଥିଲେ। ନିଜ ଇନିଂସରେ ସେ ୫ ଛକା ଲଗାଇଥିଲେ। ହେଲେ ଶେଷ ବଲ୍‌ରେ ତାହା କରିପାରି ନ ଥିଲେ। ଏଭଳି ଭାବେ ବାଲାଂଦେଶ ୫ ରନ୍‌ରେ ବିଜେତା ହୋଇଥିଲା। ଫଳରେ ଦଳ ସିରିଜରେ ୨-୦ରେ ଆଗୁଆ ହୋଇଛି। ଏବେ ସିରିଜର ଶେଷ ମ୍ୟାଚ୍‌ ୧୦ ଡିସେମ୍ବରରେ ଖେଳାଯିବ।

Share