Categories: ଖେଳ

ରୋହିତ ଶର୍ମା ପଛରେ ରହିଗଲେ, ଇତିହାସ ରଚିଲେ ମହିଳା କ୍ରିକେଟର୍‌

ବର୍ମିଂହାମ,୩।୮:ନ୍ୟୁଜିଲାଣ୍ଡ ମହିଳା କ୍ରିକେଟର ସୁଜି ବେଟ୍ସ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଏକ ନୂତନ ଇତିହାସ ସୃଷ୍ଟି କରିଛନ୍ତି। ସେ ଟି-୨୦ରେ ୩୫୦୦ ରନ ସ୍କୋର କରିଛନ୍ତି। ସେ ଏହା କରିବାରେ ଉଭୟ ପୁରୁଷ କିମ୍ବା ମହିଳା କ୍ରିକେଟ୍‌ରେ ପ୍ରଥମ ଖେଳାଳି ହୋଇଛନ୍ତି। ପୁରୁଷ ବର୍ଗରେ ଅନ୍ତର୍ଜାତୀୟ ଟି-୨୦ରେ ରୋହିତ ଶର୍ମା ସର୍ବାଧିକ ରନ ସ୍କୋର କରିଛନ୍ତି। କିନ୍ତୁ ତାଙ୍କୁ ଟପିଯାଇଛନ୍ତି ସୁଜି ବେଟ୍ସ। ସୁଜି ରାଜ୍ୟଗୋଷ୍ଠୀ କ୍ରୀଡାର ଏକ ମ୍ୟାଚରେ ଶ୍ରୀଲଙ୍କା ବିପକ୍ଷରେ ଏହି ସଫଳତା ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏହି ରେକର୍ଡ ସୃଷ୍ଟି କରିବାର ସୁଯୋଗ ପାଇଥିଲେ, କିନ୍ତୁ ସେ ‘ଶୂନ’ରେ ଆଉଟ୍‌ ହୋଇଯାଇଥିଲେ। ମଙ୍ଗଳବାର ତୃତୀୟ ଟି-୨୦ରେ ୧୧ ରନ ସ୍କୋର କରିବା ପରେ ସେ ରିଟାର୍ଡହର୍ଟ ହୋଇଯାଇଥିଲେ। ସେ ଏପର୍ଯ୍ୟନ୍ତ ୩୪୫୪ ରନ ସଂଗ୍ରହ କରିଛନ୍ତି।
ଶ୍ରୀଲଙ୍କା ବିପକ୍ଷ ମ୍ୟାଚ ପୂର୍ବରୁ ୩୪ ବର୍ଷିୟ ସୁଜି ବେଟ୍ସ ଅନ୍ତର୍ଜାତୀୟ ଟି-୨୦ରେ ୧୨୭ ମ୍ୟାଚର ୧୨୪ ଇନିଂସରେ ୩୪୭୧ ରନ ସଂଗ୍ରହ କରିଛନ୍ତି। ଏଥିରେ ଗୋଟିଏ ଶତକ ଏବଂ ୨୨ ଅର୍ଦ୍ଧଶତକ ସ୍କୋର କରିଥିଲେ। ସେ ରାଜ୍ୟଗୋଷ୍ଠୀ କ୍ରୀଡାରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ସେ ୩୪ ରନ ସଂଗ୍ରହ କରିଥିଲେ। କେବଳ ଏତିକି ନୁହେଁ, ସେ ଜଣେ ଦ୍ରୁତ ବୋଲର ଭାବେ ମଧ୍ୟ ପରିଚିତ। ସେ ୫୦ ଉଇକେଟ ନେଇଛନ୍ତି।

Share