ବେଙ୍ଗାଲୁରୁ,୧୮।୧: ଆଫଗାନିସ୍ତାନ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ଭାରତ ୩-୦ରେ ଜିତିଛି। ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ସୁପର ଓଭରରେ ଟିମ ଇଣ୍ଡିଆ ଆଫଗାନିସ୍ତାନ ଦଳକୁ ପରାସ୍ତ କରିଛି। ରୋହିତ ଶର୍ମା ଏହି ମ୍ୟାଚରେ ଚମତ୍କାର ଶତକ ହାସଲ କରି ଅନେକ ରେକର୍ଡ ସୃଷ୍ଟି କରିଥିଲେ। ଏହା ବ୍ୟତୀତ ସେ ଅଧିନାୟକତ୍ୱରେ ଏକ ବଡ଼ ସଫଳତା ହାସଲ କରିଥିଲେ। ରୋହିତ ଟି-୨୦ରେ ଭାରତର ମିଳିତ ସଫଳତମ ଅଧିନାୟକ ହୋଇଥିଲେ। ସେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ସହ ସମକକ୍ଷ ହୋଇଥିଲେ।
ରୋହିତଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ୫୪ତମ ଥର ମ୍ୟାଚ ଖେଳିବାକୁ ଆସିଥିଲେ। ସେ ତାଙ୍କର ୪୨ତମ ବିଜୟ ହାସଲ କରିଛନ୍ତି। ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ମଧ୍ୟ ୪୨ଟି ମ୍ୟାଚ ଜିତିଛି। ଧୋନୀ ୭୨ଟି ମ୍ୟାଚ ପାଇଁ ଦଳର ଅଧିନାୟିକତ୍ୱ କରିଥିଲେ। ଏଥିରେ ଭାରତ ୪୨ଟି ମ୍ୟାଚ ଜିତିଥିଲା। ଯଦି ଟି-୨୦ ବିଶ୍ୱକପରେ ରୋହିତ ଅଧିନାୟକ ହୁଅନ୍ତି, ତେବେ ସେ ଧୋନୀଙ୍କୁ ପଛରେ ପକାଇ ପାରିବେ।