Advertisement

କ୍ୟାରିୟରର ଅନ୍ତିମ ସିରିଜ ଖେଳିବେ ରୋହିତ ଶର୍ମା, ଐତିହାସିକ ମୂହୁର୍ତ୍ତର ମୁକସାକ୍ଷୀ ପାଲଟିବେ ୧,୩୨,୦୦୦ ଦର୍ଶକ!

ନୂଆଦିଲ୍ଲୀ,୬।୨: ଇଂଲଣ୍ଡ ବିପକ୍ଷରେ ଟିମ୍‌ ଇଣ୍ଡିଆ ଖେଳିବାକୁ ଯାଉଥିବା ଦିନିକିଆ ସିରିଜ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଏହାଦ୍ୱାରା ଚାମ୍ପିଅନ୍ସ ଟ୍ରଫି ଲାଗି ଅଭ୍ୟାସ ହୋଇଯିବ। ସେହିଭଳି ଅଧିନାୟକ ଭାବେ ରୋହିତ ଶର୍ମାଙ୍କର ଏହା ଅନ୍ତିମ ସିରିଜ ହୋଇପାରେ। ନାଗପୁର ଦିନିକିଆର ଦିନକ ପୂର୍ବରୁ କରାଯାଇଥିବା ଖବରଦାତା ସମ୍ମିଳନୀରେ ରୋହିତ ଏନେଇ କିଛି କହିବାକୁ ମନା କରିଦେଇଥିଲେ ହେଁ ଏ ସଂକ୍ରାନ୍ତରେ ଅନେକ ରିପୋର୍ଟ ପ୍ରକାଶ ପାଉଛି।

ରିପୋର୍ଟ ମୁତାବକ, ବିସିସିଆଇ ସ୍ପଷ୍ଟ ଭାବେ ରୋହିତଙ୍କୁ ଚାମ୍ପିଅନ୍ସ ଟ୍ରଫି ପରେ ନିଜର ଭବିଷ୍ୟତ ଯୋଜନା କରିବାକୁ କହିଦେଇଛି। ଦଳର ମ୍ୟାନେଜମେଣ୍ଟ ମଧ୍ୟ ତାଙ୍କ ପରେ କିଏ ନେତୃତ୍ୱ ନେବ ସେନେଇ ବିଚାର ବିମର୍ଶ ଚଳାଇଛି। ଚାମ୍ପିଅନ୍ସ ଟ୍ରଫି ପରେ ଟିମ୍‌ ଇଣ୍ଡିଆ ଦିନିକିଆ ବିଶ୍ୱକପ୍‌ ୨୦୨୭ ପ୍ରସ୍ତୁତି କରିବ। ଏଥିଯୋଗୁ ରୋହିତଙ୍କ ସ୍ଥାନରେ ନୂଆ ଖେଳାଳିଙ୍କୁ ସୁଯୋଗ ଦେବା ବିଷୟରେ ଚିନ୍ତା କରାଯାଉଛି। ଅପରପକ୍ଷେ ରୋହିତଙ୍କ ବୟସ ଏବଂ ଫିଟ୍‌ନେସ୍‌ ମଧ୍ୟ ପ୍ରଶ୍ନ ଘେରରେ ରହିଛି।

ତଥାପି, ଏ ବିଷୟରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ସୂଚନା ମିଳିନାହିଁ। କିନ୍ତୁ ରୋହିତ ତାଙ୍କ କ୍ୟାରିୟରର ଶେଷ ସିରିଜ ଖେଳିବାର ସମ୍ଭାବନା ଅଧିକ। ଏହାର ଅର୍ଥ ହେଉଛି ସେ ତାଙ୍କର ଶେଷ ମ୍ୟାଚ୍‌ ଘରୋଇ ଗ୍ରାଉଣ୍ଡରେ ବିଶ୍ୱର ସବୁଠାରୁ ବଡ଼ ଗ୍ରାଉଣ୍ଡ ଅର୍ଥାତ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳିପାରନ୍ତି। ଏହି ଷ୍ଟାଡିୟମର ମୋଟ କ୍ଷମତା ୧,୩୨,୦୦୦ ପ୍ରଶଂସକ ରହିଛି। ଭାରତ-ଇଂଲଣ୍ଡ ODI ସିରିଜର ଶେଷ ମ୍ୟାଚ ସେହି ସମସ୍ତ ପ୍ରଶଂସକଙ୍କ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ହୋଇପାରେ। ସେ ନିଜ ଆଖି ଆଗରେ ରୋହିତ ଶର୍ମାଙ୍କୁ ଘରୋଇ ଗ୍ରାଉଣ୍ଡରେ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ ଖେଳୁଥିବାର ଦେଖିପାରୁଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: Sports News