Categories: ଖେଳ

‘ବିଶ୍ୱକପ୍‌ ଗୁରୁତ୍ୱପୂର୍ଣ୍ଣ, ହେଲେ ବୁମ୍‌ରାଙ୍କ କ୍ୟାରିୟର ଆମ ପାଇଁ ଅଧିକ ଜରୁରୀ’

ନୂଆଦିଲ୍ଲୀ,୧୫।୧୦: ଟି୨୦ ବିଶ୍ୱକପ୍‌କୁ ଆଉ ଦିନ କେଇଟା। ଏମିତିରେ ପିଠିରେ ସମସ୍ୟା କାରଣରୁ ଭାରତୀୟ ଟିମ୍‌ରୁ ବାଦ୍‌ ପଡ଼ିଛନ୍ତି ଅନୁଭବୀ ଦ୍ରୁତ ବୋଲର୍‌ ଜସପ୍ରିତ ବୁମ୍‌ରା। ଏହା ଦଳ ଲାଗି ବଡ଼ ଝଟ୍‌କା ବୋଲି କୁହାଯାଇଥିଲା। ଏବେ ତାଙ୍କ ସ୍ଥାନରେ ପେସର ମହମ୍ମଦ ଶାମିଙ୍କୁ ସୁଯୋଗ ମିଳିଛି। ତେବେ ବିଶ୍ୱକପ୍‌ ପୂର୍ବରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଉଭୟ ବୋଲରଙ୍କୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି।

ବୁମ୍‌ରାଙ୍କୁ ନେଇ ରୋହିତ କହିଛନ୍ତି, ବୁମ୍‌ରା ଜଣେ ଗୁଣାତ୍ମକ ବୋଲର। ଦୁର୍ଭାଗ୍ୟବଶତଃ ଆହତ ସମସ୍ୟା ହେଉଛି, ଏଥିରେ କେହି କିଛି କରିପାରିବ ନାହିଁ। ତାଙ୍କ ଆଘାତ ବିଷୟରେ ଅନେକ ବିଶେଷଜ୍ଞଙ୍କ ସହ କଥା ହୋଇଥିଲୁ। ହେଲେ ସନ୍ତୋଷଜନକ ପ୍ରତିକ୍ରିୟା ମିଳି ନ ଥିଲା। ବିଶ୍ୱକପ୍‌ ଗୁରୁତ୍ୱପୂର୍ଣ୍ଣ, ହେଲେ ତାଙ୍କ କ୍ୟାରିୟର ଆମ ଲାଗି ଅଧିକ ଜରୁରୀ। ବର୍ତ୍ତମାନ ତାଙ୍କୁ ମାତ୍ର ୨୭-୨୮ ବର୍ଷ ବୟସ। ତାଙ୍କର ଆଗକୁ ଏକ ଦୀର୍ଘ କ୍ୟାରିୟର ଅଛି। ଆମେ ଏଭଳି ରିସ୍କ ନେଇ ପାରିବୁ ନାହିଁ। ବିଶେଷଜ୍ଞ ମଧ୍ୟ ସମାନ ପରାମର୍ଶ ଦେଇଛନ୍ତି। ଭବିଷ୍ୟତରେ ସେ ଆହୁରି ଅନେକ ମ୍ୟାଚ୍‌ ଜିତାଇବେ। ତାଙ୍କ ଅନୁପସ୍ଥିତି ନିଶ୍ଚିତ ଭାବେ ଅନୁଭବ ହେବ ବୋଲି ରୋହିତ କହିଛନ୍ତି।

ସେହିଭଳି ଶାମିଙ୍କୁ ନେଇ ରୋହିତ କହିଛନ୍ତି, ଆହତ ହେବା ଖେଳର ଗୋଟିଏ ଅଂଶ। ଏହାକୁ ନେଇ କିଛି କରିହେବ ନାହିଁ। ଆପଣ ଯେତେ ଅଧିକ ମ୍ୟାଚ୍‌ ଖେଳିବେ, ଆହତ ହେବାର ଆଶଙ୍କା ସେତେ ଅଧିକ। ଦୁଇ ସପ୍ତାହ ପୂର୍ବେ ଶାମିଙ୍କୁ କରୋନା ହୋଇଥିଲା। ସେ ନିଜ ଫର୍ମରେ ଥାଇ ବି ବିଶ୍ରାମ ନେଇଥିଲେ। ଏନ୍‌ସିଏରେ ସୁସ୍ଥ ହେବା ପରେ ସେ ବ୍ରିସ୍‌ବେନ୍‌ରେ ପହଞ୍ଚିଛନ୍ତି। ସେ ଭାରତୀୟ ଟିମ୍‌ ସହ ଅଭ୍ୟାସ କରିବେ। କୋଭିଡ ପରେ ସେ ଶୀଘ୍ର ସୁସ୍ଥ ହୋଇଛନ୍ତି। ସେ ତିନିରୁ ଚାରୋଟି ବୋଲିଂ ସେଶନ ମଧ୍ୟ କରିଛନ୍ତି। ସେଥିରେ ପ୍ରଦର୍ଶନ ଭଲ ଥିବା ସେ କହିଛନ୍ତି।

Share