Categories: ଖେଳ

‘ଶାର୍ଦ୍ଦୁଳ ଜଣେ ଯାଦୁଗର’

ଇନ୍ଦୋର,୨୫।୧: ନ୍ୟୁଜିଲାଣ୍ଡକୁ ବିପକ୍ଷ ସିରିଜକୁ କ୍ଲିନ୍‌ ସୁଇପ୍‌ କରିବା ପରେ ଭାରତ ଏବେ ଆଇସିସି ର଼୍ୟାଙ୍କିଂର ଶୀର୍ଷ(ନଂ-୧) ସ୍ଥାନରେ ପହଞ୍ଚିଛି। ଏହାପରେ ଅଧିନାୟକ ରୋହିତ ଶର୍ମା ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ଖୁସିବ୍ୟକ୍ତ କରିବା ସହ ମ୍ୟାଚ୍‌କୁ ବିରୋଧି ଟିମ୍‌ ହାତରୁ ଛଡ଼ାଇ ଆଣିଥିବା ଶାର୍ଦ୍ଦୁଳ ଠାକୁରଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି।

ରୋହିତ କହିଛନ୍ତି, ଶାର୍ଦ୍ଦୁଳ ଦୀର୍ଘ ଦିନ ଧରି ଦଳ ପାଇଁ ଏଭଳି କରି ଆସୁଛନ୍ତି। ସ୍କ୍ବାର୍ଡରେ ତାଙ୍କୁ ‘ଯାଦୁଗର’ ବୋଲି କୁହାଯାଉଛି। ଅନେକ ଥର ସେ ସଠିକ୍‌ ସମୟରେ ଉଇକେଟ ନେଇଥାନ୍ତି। ଏଣୁ ତାଙ୍କୁ ଅଧିକ ସୁଯୋଗ ମିଳିବାର ଆବଶ୍ୟକତା ରହିଛି।
ସେହିଭଳି ଶୁଭମନ ଗିଲଙ୍କୁ ନେଇ ରୋହିତ ବହୁତ ଆଶାବାଦୀ ଥିବା କହିଛନ୍ତି। ଜଣେ ଯୁବ ଖେଳାଳି ଭାବେ ଯେଉଁଭଳି ଚିନ୍ତାଧାରା ରଖିବା ଉଚିତ ତାଙ୍କର ଅଛି। ସେ ପ୍ରତିଟି ଇନିଂସକୁ ଏକ ଅଧ୍ୟାୟ ଭାବି ଆଗକୁ ବଢ଼ୁଥିବା ଅଧିନାୟକ କହୁଛନ୍ତି।

ଏହାଛଡ଼ା ମ୍ୟାଚ୍‌ରେ ନୂଆ ଖେଳାଳିଙ୍କୁ ସୁଯୋଗ ଦେବା ପ୍ରସଙ୍ଗରେ ରୋହିତ କହିଛନ୍ତି, ଆମେ ଏହି ମ୍ୟାଚ୍‌ରେ ନୂଆ ଖେଳାଳିଙ୍କ ସୁଯୋଗ ଦେବାକୁ ଚାହୁଁଥିଲୁ। ଏହି କାରଣରୁ ସିରାଜ ଏବଂ ଶାମୀଙ୍କୁ ବାଦ ଦିଆଯାଇଥିଲା। ଯୁଜବେନ୍ଦ୍ର ଚହଲ ଏବଂ ଉମରାନ ମଲିକଙ୍କୁ ସୁଯୋଗ ଦେବାର ଆବଶ୍ୟକତା ଥିଲା। ଏହାଫଳରେ ସେମାନେ ଏଭଳି ମୁକାବିଲା ଲାଗି ପ୍ରସ୍ତୁତ ହୋଇପାରିବେ ବୋଲି ସେ କହିଛନ୍ତି।

Share