Categories: ଖେଳ

ରୋହିତଙ୍କ ରଣହୁଙ୍କାର,ଫାଇନାଲ ପୂର୍ବରୁ ରଣନୀତି ନେଇ କହିଲେ ଏଭଳି…

ଅହମ୍ମଦାବାଦ,୧୮।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ୍‌କୁ ନେଇ ରଣହୁଙ୍କାର ଭରିଛନ୍ତି ଅଧିନାୟକ ରୋହିତ ଶର୍ମା। ଏଯାବତ ଦଳ ଯେଉଁଭଳି କ୍ରିକେଟ ଖେଳି ଆସିଛି ସେହିଭଳି ଫାଇନାଲରେ ମଧ୍ୟ ଖେଳିବ ବୋଲି ସେ କହିଛନ୍ତି।

ମ୍ୟାଚ୍‌ ପୂର୍ବରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ରୋହିତ କହିଛନ୍ତି, ଦୁଇ ବର୍ଷ ପୂର୍ବରୁ ଆମେ ଯେଉଁ ପ୍ରସ୍ତୁତି ଆରମ୍ଭ କରିଥିଲୁ ତାହା ତିନୋଟି ଯାକ ଫର୍ମାଟ ଲାଗି ଥିଲା। କେଉଁ ଖେଳାଳି କେଉଁ ସ୍ଥାନ ଲାଗି ଫିଟ୍‌ ରହିବ, କେଉଁ ଖେଳାଳି କେଉଁ ଫର୍ମାଟ ଲାଗି ଠିକ ରହିବ ସେନେଇ ଯୋଜନା ପ୍ରସ୍ତୁତ କରିଥିଲୁ। ଏବେ ଯାଏ ସବୁକିଛି ଠିକ୍‌ ଚାଲିଛି। ଆଗକୁ ମଧ୍ୟ ସେଭଳି ପ୍ରଦର୍ଶନ କରିପାରିବୁ ବୋଲି ଆଶା କରୁଛୁ। ଉଭୟ ଟିମ୍‌ ପାଖରେ ବିଜେତା ହେବାର ଯୋଗ୍ୟତା ରହିଛି। ବିରୋଧୀ ଟିମ୍‌କୁ ନେଇ ଆଉ ଉପରେ କୌଣସି ଚାପ ନାହିଁ, ଆମେ କେବଳ ନିଜ ପ୍ରସ୍ତୁତି ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ଚାହୁଁ ବୋଲି ସେ କହିଛନ୍ତି।

ଏହି ଅବସରରେ ରୋହିତ ମହମ୍ମଦ ଶାମି ଏବଂ କୋଚ୍‌ ରାହୁଲ ଦ୍ରାବିଡଙ୍କ ପ୍ରଶଂସା କରିବାକୁ ଭୁଲି ନାହାନ୍ତି। ଉଭୟ ଖେଳାଳି ଏବଂ କୋଚ୍‌ଙ୍କ ଲାଗି ରବିବାର ବହୁତ ବଡ଼ ଦିନ। ଏଣୁ ସ୍ବପ୍ନକୁ ସାକାର କରିବା ଲାଗି ଦଳ ସମସ୍ତ ପ୍ରକାର ରଣନୀତି ଆପଣାଇବ। ପିଚ୍‌କୁ ଦେଖିବା ପରେ ଏକାଦଶ ସ୍ଥିର କରାଯିବ ବୋଲି ରୋହିତ କହିଛନ୍ତି।

Share