Categories: ଖେଳ

‘ଇଶାନ କହିବ ରାଞ୍ଚିରେ ମୋ’ ଘର, ମୋତେ ଖେଳାଅ…’ ଜାଣନ୍ତୁ କାହିଁକି ରୋହିତ ଦେଲେ ଏଭଳି ବୟାନ

ନୂଆଦିଲ୍ଲୀ,୨୬।୧: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ନିଜର ମନ୍ତବ୍ୟକୁ ନେଇ ରହିଥାନ୍ତି ଚର୍ଚ୍ଚାରେ। ଏବେ ସେ ରଜତ ପାଟିଦାରଙ୍କୁ ସେଭଳି ଏକ ବୟାନ ଦେଇଛନ୍ତି। ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ ପୂର୍ବରୁ ଶ୍ରେୟସ ଆୟରଙ୍କ ସ୍ଥାନରେ ରଜତଙ୍କୁ ସାମିଲ କରାଯାଇଥିଲା। ହେଲେ ସିରିଜ ଖେଳିବାର ସୁଯୋଗ ସେ ପାଇ ନ ଥିଲେ। ଏନେଇ ରୋହିତଙ୍କୁ ପଚରାଯିବାରେ ସେ ଦଳରେ ସ୍ଥାନ ମିଳିଲେ ତାଙ୍କୁ ଖେଳିବାର ସୁଯୋଗ ଦିଆଯିବ ବୋଲି ସିଧାସିଧା ଶୁଣାଇଛନ୍ତି।

ରୋହିତ କହିଛନ୍ତି, ୩ନଂରେ ବିରାଟ କୋହଲି, ୪ର୍ଥ ଇଶାନ କିଷନ ଅଛନ୍ତି, ଯିଏ କି ଦ୍ୱିଶତକ ମାରିବା ପରେ ବି ବାହାରେ ରହିଥିଲେ। ସୂର୍ଯ୍ୟକୁମାର ଯାଦବ ୫ନଂ ସ୍ଥାନରେ ଅଛନ୍ତି। ଦୁନିଆ ଜାଣିଛି ସେ କ’ଣ କରୁଛନ୍ତି। ସେହିଭଳି ୬ଷ୍ଠ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା ଅଛନ୍ତି। ଏଥିଲାଗି ଆଗ ସ୍ଥାନ ମିଳିବା ଦରକାର। ଆମେ ଚାହୁଁଛୁ ସମସ୍ତେ ଖେଳନ୍ତୁ, ହେଲେ ସ୍ଥାନ ନ ମିଳିବା ଯାଏ ତାହା ସମ୍ଭବ ନୁହେଁ। ମୁଁ ଜାଣେ ରଜତଙ୍କୁ ଇନ୍ଦୋରରେ ଖେଳାଇବା ଉଚିତ ଥିଲା। ସେହିଭଳି ରାଞ୍ଚି, ଝାଡ଼ଖଣ୍ଡରେ ଇଶାନ ବି କହିବେ ମୋତେ ଖେଳାଅ, କାରଣ ସେ ରାଞ୍ଚିର। ଏମିତି ହୁଏ ନାହିଁ। ଆମର ଏକ ଯୋଜନା ଅଛି, ଖେଳାଳିଙ୍କୁ ସୁଯୋଗ ମିଳିବ। ଅନେକ ସୁଯୋଗର ଅପେକ୍ଷାରେ ଅଛନ୍ତି।

କହିରଖୁଛୁ, ପୂର୍ବରୁ ରଜତଙ୍କୁ ଦକ୍ଷିଣ ଆଫ୍ରିକା ଏବଂ ବାଲାଂଦେଶ ବିପକ୍ଷ ଦିନିକିଆ ଟିମ୍‌ରେ ସାମିଲ କରାଯାଇଥିଲା। ହେଲେ ତାଙ୍କୁ ସୁଯୋଗ ମିଳି ନ ଥିଲା। ଏବେ ସେ ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜରେ ମଧ୍ୟ ସାମିଲ ହୋଇଛନ୍ତି। ହେଲେ ତାଙ୍କୁ ସୁଯୋଗ ମିଳିବା ନେଇ ଆଶା ଦେଖାଯାଉନାହିଁ।

Share