ଅହମ୍ମଦାବାଦ,୨୧।୩: ଇଂଲଣ୍ଡ ବିପକ୍ଷ ଶେଷ ଟି୨୦ରେ ଭାରତୀୟ କ୍ରିକେଟ ଟିମ୍ର ଉପଅଧିନାୟକ ରୋହିତ ଶର୍ମା ଅଧିନାୟକ ବିରାଟ କୋହଲିଙ୍କ ସହ ଓପନିଂ କରିଥିବା ଦେଖାଯାଇଥିଲା। ଲଗାତାର ଭାବେ ବିଫଳ ହେବା ପରେ କେ.ଏଲ୍ ରାହୁଲଙ୍କ ସ୍ଥାନରେ ଖେଳିବା ପାଇଁ କୋହଲି ଓହ୍ଲାଇଥିଲେ। ଏହି ଯୋଡ଼ଇ ମାତ୍ର ୫୪ ବଲ୍ରେ ୯୪ରନ୍ର ଭାଗିଦାରୀ କରି ଦଳର ସ୍କୋରକୁ ମଜଭୂତ କରିଥିଲେ। ଉଭୟଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ଦୁଇ ଉଇକେଟ ହରାଇ ୨୨୪ ରନ୍ କରିଥିଲା। କୋହଲିଙ୍କ ଓପନିଂ ବରଦାନ ସଦୃଶ ହେବା ଯୋଗୁ ଦଳ ଇଂଲଣ୍ଡକୁ ୩-୨ରେ ହରାଇଥିଲା। ତେବେ ଏବେ ରୋହିତ କୋହଲିଙ୍କ ଚୟନ ନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଏହି ମ୍ୟାଚ୍ ଜିତିବାର ଅନୁଭୂତି ରୋମାଞ୍ଚକର ଥିଲା। ମ୍ୟାଚ୍ ବେଳେ ଅଧିନାୟକ କ’ଣ ଭାବୁଛନ୍ତି ତାହା ଉପରେ ସବୁକିଛି ନିର୍ଭର କରେ। ଦଳ ପାଇଁ କ’ଣ ଭଲ ହେଉଛି ତାହା ଦେଖିବା ଉଚିତ। ଯଦି କୋହଲି ମୋ’ ସହ ଓପନିଂ କରିବା ଦ୍ୱାରା ଭଲ ପରିଣାମ ମିଳୁଛି ତେବେ ଆମେ ଏହି ଯୋଜନା ଅନୁଯାୟୀ ଆଗକୁ ବଢ଼ିବାକୁ ହେବ। ବାହାରେ କ’ଣ କଥା କୁହାଯାଉଛି, ସେ ବିଷୟରେ ଆମେ ଚିନ୍ତା କରୁନାହୁଁ। ଲୋକମାନେ କାହାକୁ ଖେଳାଇବା ଉଚିତ, କାହାକୁ ନୁହେଁ ସେ ବିଷୟରେ ଭାବିଥାନ୍ତି। ହେଲେ ତାହା ଆମପାଇଁ କିଛି ନୁହେଁ। ଖେଳାଳି ଫର୍ମରେ ଥିଲେ ଏବଂ ଭଲ ଖେଳୁଥିଲେ ତାଙ୍କୁ ଦଳରେ ସୁଯୋଗ ଦେବା ଉଚିତ। ଆମେ ଏବେ ଏହା ଉପରେ ଧ୍ୟାନ ଦେଉଛୁ। ବିଶ୍ୱକପ୍ ଆସୁଛି, ତେଣୁ ସବୁତକ ଧ୍ୟାନ ସେ ଦିଗରେ ଦିଆଯାଉଛି ବୋଲି ରୋହିତ କହିଛନ୍ତି।