Categories: ଖେଳ

୩ ବର୍ଷ ପରେ ଗର୍ଜିଲା ହିଟ୍‌ମ୍ୟାନ୍‌ଙ୍କ ବ୍ୟାଟ୍‌: ମାରିଲେ କ୍ୟାରିୟରର ୩୦ତମ ଶତକ

ଇନ୍ଦୋର,୨୪।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଏଠାରେ ଖେଳାଯାଉଥିବା ତୃତୀୟ ଦିନିକିଆ ମ୍ୟାଚ୍‌ରେ ଗର୍ଜିଛି ହିଟ୍‌ମ୍ୟାନ୍‌ ତଥା ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟ୍‌। ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ସେ ବିସ୍ଫୋରକ ଇନିଂସ ଖେଳି ନିଜ କ୍ୟାରିୟରର ୩୦ତମ ଦିନିକିଆ ଶତକ ପୂରଣ କରିଛନ୍ତି। ଏପରି କରିବାରେ ସେ ଦିନିକିଆ ଇତିହାସର ଚତୁର୍ଥ ଖେଳାଳି ପାଲଟିଛନ୍ତି।

ମ୍ୟାଚ୍‌ ଆରମ୍ଭରୁ ଫର୍ମରେ ନଜର ଆସିଥିଲେ ରୋହିତ। ସେ ୪୧ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ପରେ ସେ ୮୫ ବଲ୍‌ରେ ୧୦୧ ରନ୍‌ କରି ଆଉଟ୍‌ ହୋଇଥିଲେ। ତାଙ୍କ ଇନିଂସରେ ୬ ଛକା ଏବଂ ୯ ଚୌକା ଥିଲା। ଏହି ସମୟରେ ସେ ଅନ୍ୟତମ ଓପନର ଶୁଭମନ ଗିଲଙ୍କ ସହ ପ୍ରଥମ ଉଇକେଟ ପାଇଁ ୨୧୨ ରନ୍‌ର ଭାଗିଦାରୀ କରିବାରେ ସଫଳ ହୋଇଥିଲେ।

ତେବେ ରୋହିତ ଅର୍ନ୍ତଜାତୀୟ ଦିନିକିଆ କ୍ରିକେଟରେ ୩୦ ଶତକ ମାରିଥିବା ଚତୁର୍ଥ ଖେଳାଳି ପାଲଟିଛନ୍ତି। ବହୁ ଅପେକ୍ଷା ପରେ ୨୦୦୭ରୁ ୨୦୨୩ ମଧ୍ୟରେ ୨୪୧ ମ୍ୟାଚ୍‌ରେ ସେ ଏହି କାରନାମା କରିବାରେ ସଫଳ ହୋଇଛନ୍ତି। ଏଥି  ସହ ସେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ(୩୦ ଶତକ)ଙ୍କ ସମକକ୍ଷ ହୋଇଛନ୍ତି। ଏହି ତାଲିକାର ଶୀର୍ଷରେ ଅଛନ୍ତି ସଚିନ ତେନ୍ଦୁଲକର(୪୯ ଶତକ)  । ତାଙ୍କ ପରେ ବିରାଟ କୋହଲି(୪୬ ଶତକ) ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

Share