ନୂଆଦିଲ୍ଲୀ,୧୧।୧୧: ଚଳିତ ମାସର ପରବର୍ତ୍ତୀ ଭାଗରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ। ସିରିଜ୍ର ପ୍ରଥମ ମ୍ୟାଚ୍ରେ ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଅଜିଙ୍କ୍ୟ ରାହାନେ ଦଳର ନେତୃତ୍ୱ ନେବେ। ବରିଷ୍ଠ ଓପନର ରୋହିତ ଶର୍ମାଙ୍କୁ ପୂରା ସିରିଜ୍ରୁ ବିଶ୍ରାମ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି।
ଗୁରୁବାର ଚୟନକମିଟିର ବୈଠକରେ ବସିଥିଲା। ରୋହିତଙ୍କ ସମେତ ନିୟମିତ ଟେଷ୍ଟ ଖେଳୁଥିବା ଯଶପ୍ରୀତ ବୁମରା, ମହମ୍ମଦ ଶାମି, ରିଷଭ ପନ୍ତ ଓ ଶାର୍ଦ୍ଦୁଳ ଠାକୁରଙ୍କୁ ପୂରା ସିରିଜ୍ରୁ ବିଶ୍ରାମ ଦିଆଯିବା ଲାଗି ନିଷ୍ପତ୍ତି ହୋଇଛି।
ବୈଠକରେ କୋହଲିଙ୍କ ଅନୁପସ୍ଥିତିରେ ରୋହିତଙ୍କୁ ପ୍ରଥମ ଟେଷ୍ଟର ନେତୃତ୍ୱ ଦିଆଯିବା ଲାଗି ଆଲୋଚନା ହୋଇଥିଲା। କିନ୍ତୁ ଓ୍ବାର୍କଲୋଡ୍କୁ ଦୃଷ୍ଟିରେ ରଖି ନୂଆ ଟି୨୦ କ୍ୟାପଟେନଙ୍କୁ ଲମ୍ବା ବ୍ରେକ ଦିଆଯିବା ଲାଗି ନିଷ୍ପତ୍ତି ହୋଇଛି। ରୋହିତଙ୍କ ଅନୁପସ୍ଥିତିରେ ଲୋକେଶ ରାହୁଲ, ମୟଙ୍କ ଅଗ୍ରଓ୍ବାଲ କିମ୍ବା ଶୁବମାନ ଗିଲଙ୍କ ସହ ଓପନିଂ କରିବେ। ରିଦ୍ଦିମାନ ଶାହା ଉଇକେଟକିପିଂ ଦାୟିତ୍ୱ ସମ୍ଭାଳିବେ। ମଧ୍ୟକ୍ରମରେ ରାହାନେଙ୍କ ସହ ହନୁମା ବିହାରୀ ରହିବେ।