Categories: ଖେଳ

ରୋହିତ ଶର୍ମାଙ୍କର କଟିଲା ୩ ଚାଲାଣ

ନୂଆଦିଲ୍ଲୀ,୧୮।୧୦: ଓ୍ବାନ ଡେ ଓ୍ବାର୍ଲଡ କପ ୨୦୨୩ମଧ୍ୟରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ହିଟମ୍ୟାନ ହାଇଓ୍ବେ ଉପରେ ବିଳାସପୂର୍ଣ୍ଣ କାରକୁ ୨୦୦ କିଲୋମିଟରରୁ ଅଧିକ ବେଗରେ ଚଳାଇବା ମହଙ୍ଗା ପଡିଛି। ଏହି କାରଣରୁ ତାଙ୍କର ୩ଟି ଚାଲାଣ କଟିଛି। ଟିମ ଇଣ୍ଡିଆ ଶନିବାର ଅହମ୍ମଦାବାଦରେ ପାକିସ୍ତାନ ବିପକ୍ଷରେ ଏକ ମ୍ୟାଚ ଖେଳିଥିଲା, ଏହା ପରେ ରୋହିତ ଶର୍ମା ଦୁଇ ଦିନ ପାଇଁ ମୁମ୍ବାଇ ଆସିଥିଲେ। କିନ୍ତୁ ବର୍ତ୍ତମାନ ସେ ପୁଣେରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ଯୋଗ ଦେଇଛନ୍ତି। ମୁମ୍ବାଇରୁ ପୁଣେ ଯାଉଥିବାବେଳେ ରୋହିତ ଶର୍ମା ୨୦୦ କିଲୋମିଟରରୁ ଅଧିକ ବେଗରେ କାର ଚଳାଇଥିଲେ।
ଏକ ଘରୋଇ ଟେଲିଭିଜନ ଚ୍ୟାନେଲର ରିପୋର୍ଟ ଅନୁଯାୟୀ, ରୋହିତ ଶର୍ମା ମୁମ୍ବାଇ-ପୁଣେ ଏକ୍ସପ୍ରେସୱେ ଦେଇ ନିଜର ବିଳାସପୂର୍ଣ୍ଣ କାର ଲମ୍ବୋର୍ଗିନି ଉରୁସରେ ମୁମ୍ବାଇରୁ ପୁଣେ ଯାତ୍ରା କରିଥିଲେ। ରାଜପଥରେ ଗତି ସୀମା ଘଣ୍ଟା ପ୍ରତି ୧୦୦ କିଲୋମିଟର ଥିଲା, କିନ୍ତୁ ଭାରତୀୟ ଅଧିନାୟକ ଘଣ୍ଟା ପ୍ରତି୨୦୦ କିଲୋମିଟରରୁ ଅଧିକ ବେଗରେ କାର ଚଳାଇଥିଲେ। ଟ୍ରାଫିକ ଅଧିକାରୀଙ୍କ ମାଧ୍ୟମରେ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ଆହୁରି ମଧ୍ୟ କୁହାଯାଇଥିଲା ଯେ ରୋହିତ ଶର୍ମା ଟ୍ରାଫିକ ନିୟମ ଭାଙ୍ଗିଛନ୍ତି।
ଦ୍ରୁତ ଗତିରେ ଏବଂ ନିୟମ ଭାଙ୍ଗିବା ହେତୁ ରୋହିତ ଶର୍ମାଙ୍କ କାରର ନମ୍ବର ପ୍ଲେଟରେ ତିନୋଟି ଅନଲାଇନ ଟ୍ରାଫିକ ଚାଲାଣ ଜାରି କରାଯାଇଥିଲା। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ରୋହିତ ଶର୍ମାଙ୍କ କାରର ବେଗ ମଧ୍ୟ ଘଣ୍ଟା ପ୍ରତି ୨୧୫ କିଲୋମିଟର ଥିଲା। ଟ୍ରାଫିକ ବିଭାଗର ଏକ ସୂତ୍ରରୁ ପ୍ରକାଶ, ବିଶ୍ୱକପ ସମୟରେ ରୋହିତ ଶର୍ମା ରାଜପଥରେ ଗାଡି ଚଳାଇବା ଠିକ ନୁହେଁ। ସେ ଦଳ ସହିତ ଏକ ବସରେ ଯାତ୍ରା କରିବା ଉଚିତ ଏବଂ ଏହି ବସ ସହିତ ପୋଲିସ ଗାଡି ରହିବା ଉଚିତ।

Share