ନୂଆଦିଲ୍ଲୀ,୩।୪: ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)-୨୦୨୧। ଏହାପୂର୍ବରୁ ଖେଳାଳିମାନେ ନିଜ ନିଜ ଫ୍ରାଞ୍ଚାଇଜ ସହ ଯୋଡ଼ି ହେଉଛନ୍ତି। ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ଡେଭିଡ୍ ଓ୍ବାର୍ନର ଶନିବାର ନିଜ ହୋଟେଲ ରୁମ୍ରେ ଏକ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ସେଥିରେ ସେ କ୍ୱାରାଣ୍ଟାଇନ୍ରେ ରହିବା ସମୟରେ ସମୟ ବିତାଇବା ଲାଗି କ’ଣ କରିବା ଉଚିତ ବୋଲି ପ୍ରଶଂସକଙ୍କୁ ପଚାରିଥିଲେ। ଏହାକୁ ନେଇ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଓ୍ବାର୍ନରଙ୍କୁ ଟ୍ରୋଲ କରିଛନ୍ତି। ଟିକ୍ଟକ୍ କରିପାରୁ ନ ଥିବାକୁ ନେଇ ଦୁଃଖ ଲାଗୁଥିବ ନିଶ୍ଚୟ ବୋଲି ହିଟ୍ମ୍ୟାନ୍ କହିଛନ୍ତି। ଏଭଳି ମଜାଦାର କମେଣ୍ଟକୁ ବେଶ ପସନ୍ଦ କରାଯାଉଛି।
ତେବେ ବିସିସିଆଇ ପ୍ରତ୍ୟେକ ଖେଳାଳି ଏବଂ ଅନ୍ୟ ସହାୟକ କର୍ମଚାରୀଙ୍କୁ ଫ୍ରାଞ୍ଚାଇଜ୍ ସହ ଯୋଡ଼ି ହେବାର ୭ ଦିନ ପୂର୍ବରୁ କ୍ୱାରାଣ୍ଟାଇନ୍ରେ ରହିବାକୁ ପଡ଼ିବ ବୋଲି କହିଛି। ଏଥିନେଇ ଓ୍ବାର୍ନର ନିଜର ପୃଥକବାସ ଆରମ୍ଭ କରିଛନ୍ତି। ତେବେ ଏହି କ୍ରିକେଟର ନିଜେ ନଚେତ ପରିବାର ସହ ଟିକ୍ଟକ୍ ଭିଡିଓ କରିବା କଥା ସମସ୍ତେ ଜାଣନ୍ତି। ହେଲେ ଭାରତରେ ଏହି ଆପ୍ ଉପରେ ପ୍ରତିବନ୍ଧ ଲାଗିଥିବାରୁ ଓ୍ବାର୍ନରଙ୍କ ପାଇଁ ଏହି ସମୟକୁ ବିତାଇବା କଷ୍ଟକର ବୋଲି କୁହାଯାଉଛି।