Categories: ଖେଳ

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ହିଟ୍‌ମ୍ୟାନ୍‌

ଦୁବାଇ,୨୧।୧୦: ଆସନ୍ତା ଅକ୍ଟୋବର ୨୪ରେ ଦୁବାଇରେ ଭାରତ-ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍‌ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌କୁ ନେଇ ଉତ୍କଣ୍ଠା ବଢିଛି। ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଖେଳିବାକୁ ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ହିଟ୍‌ମ୍ୟାନ୍‌ ରୋହିତ ଶର୍ମା। ଭାରତ ପାଇଁ କ୍ରମାଗତ ୭ଟି ଟି -୨୦ ବିଶ୍ୱକପ ଖେଳିବାରେ ରୋହିତ ପ୍ରଥମ ଖେଳାଳି ହେବେ।
୨୦୦୭ରେ ଅନୁଷ୍ଠିତ ପ୍ରଥମ ଟି -୨୦ ବିଶ୍ୱକପ ଜିତିଥିବା ଟିମ ଇଣ୍ଡିଆର ଏକମାତ୍ର ସଦସ୍ୟ ରୋହିତ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ (୬ ବିଶ୍ୱକପ) କୁ ପଛରେ ପକାଇ ଏହି କାରନାମା କରିବେ। ତେବେ ଏଥର ମଧ୍ୟ ଧୋନୀ ଖେଳାଳି ଭାବରେ ନୁହେଁ ବରଂ ମେଣ୍ଟର ଭାବରେ ଦଳ ସହିତ ରହିବେ। କେବଳ ଏତିକି ନୁହେଁ, ରୋହିତ ଧୋନୀଙ୍କ ଅଧିକ ବିଶ୍ୱକପ ମ୍ୟାଚ ଖେଳିବାର ରେକର୍ଡ ମଧ୍ୟ ଭାଙ୍ଗିବେ। ଧୋନୀ ୩୩ଟି ବିଶ୍ୱକପ୍‌ ମ୍ୟାଚ୍‌ ଖେଳିଥିବାବେଳେ ରୋହିତ ୨୮ଟି ମ୍ୟାଚ୍‌ ଖେଳିଛନ୍ତି। ଏବେ ସେ ଧୋନୀଙ୍କଠାରୁ ୬ ମ୍ୟାଚ୍‌ ପଛରେ ଅଛନ୍ତି। ଧୋନୀ ଅଧିନାୟକ ଭାବରେ ସମସ୍ତ ମ୍ୟାଚ ଖେଳିଛନ୍ତି। ଏଥିରୁ ମାହି ୨୦ଟି ଜିତିଛନ୍ତି ଏବଂ ୧୧ଟି ହାରିଛନ୍ତି।
ରୋହିତଙ୍କ ବ୍ୟତୀତ ଆଉ ୬ ଜଣ କ୍ରିକେଟର ମଧ୍ୟ ସପ୍ତମଥର ପାଇଁ ଟି-୨୦ ବିଶ୍ୱକପ ଖେଳୁଛନ୍ତି। ସେମାନଙ୍କ ମଧ୍ୟରେ ବାଂଲାଦେଶର ତିନି ଖେଳାଳି (ଶାକିବ, ମୁଶଫିକୁର ରହୀମ, ମହମୁଦୁଲ୍ଲା), ୱେଷ୍ଟଇଣ୍ଡିଜ (କ୍ରିସ୍‌ ଗେଲ, ଡ୍ବେନ ବ୍ରାଭୋ) ଏବଂ ପାକିସ୍ତାନର ଜଣେ ଖେଳାଳି (ଶୋଏବ ମଲିକ) ଅଛନ୍ତି।
ବିଶ୍ୱକପ୍‌ର ୨୮ଟି ମ୍ୟାଚରେ ରୋହିତ ୨୪ ଟି ଛକା ମାରିଛନ୍ତି। ସେ ଭାରତ ଲାଗି ସର୍ବାଧିକ ଛକା ପାଇଁ ଯୁବରାଜ ସିଂଙ୍କ (୩୩) ରେକର୍ଡଠାରୁ ମାତ୍ର ୧୦ ଦୂରରେ ଅଛନ୍ତି।
ସେହିପରି ରୋହିତ ଅନ୍ତର୍ଜାତୀୟ ଟି -୨୦ରେ ୩୦୦୦ ରନ ପୂରଣ କରିବା ଠାରୁ ୧୩୬ ରନ ଦୂରରେ ଅଛନ୍ତି। ସେ ୧୧୧ ମ୍ୟାଚରେ ହାରାହାରି ୩୨.୫୪ରେ ୨୮୬୪ ରନ ସଂଗ୍ରହ କରିଛନ୍ତି। ବିଶ୍ୱକପରେ ଏହି ସଫଳତା ହାସଲ କରିବାରେ ସେ ଦ୍ୱିତୀୟ ଭାରତୀୟ ହେବେ। ଅଧିନାୟକ କୋହଲି (୩୧୫୯) ଏହା କରିବାରେ ସକ୍ଷମ ହୋଇଛନ୍ତି। ରୋହିତ ହେଉଛନ୍ତି ଦେଶର ଏକମାତ୍ର କ୍ରିକେଟର ଯିଏକି ୧୦୦ କିମ୍ବା ଅଧିକ ଟି-୨୦ ଖେଳିଛନ୍ତି।

 

Share