Categories: ଖେଳ

ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ: ପ୍ରଥମ ଦିନ ଖେଳ ଶେଷସୁଦ୍ଧା ଭାରତ ୭୭/୧

ନାଗପୁର,୯।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ନାଗପୁରରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ପ୍ରଥମ ଦିନର ଖେଳ ଶେଷ ହୋଇଛି। ଟସ ଜିତି ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୭୭ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ପ୍ରଥମ ଦିନର ଖେଳ ଶେଷ ପର୍ଯ୍ୟନ୍ତ ଭାରତ ଗୋଟିଏ ଉଇକେଟ ହରାଇ ୭୭ ରନ ସଂଗ୍ରହ କରିଛି। ଅଷ୍ଟ୍ରେଲିଆ ୧୦୦ ରନ ଆଗରେ ଅଛି ଏବଂ ଭାରତର ୯ ଉଇକେଟ ବାକି ଅଛି। ଅଧିନାୟକ ରୋହିତ ଅର୍ଦ୍ଧ ଶତକ ହାସଲ କରି ୫୬ ରନ୍‌ରେ ଖେଳୁଛନ୍ତି। ଅଶ୍ୱିନ ମଧ୍ୟ ତାଙ୍କ ସହ ଶୂନରେ ଅପରାଜିତ ଅଛନ୍ତି। ଭାରତର ପ୍ରଥମ ଉଇକେଟ ୭୬ ରନରେ ଯାଇଥିଲା। ୭୧ ବଲରେ ୨୦ ରନ ସ୍କୋର କରିବା ପରେ ଲୋକେଶ ରାହୁଲ ଆଉଟ୍‌ ହୋଇଥିଲେ।
ଅଷ୍ଟ୍ରେଲିଆର ପ୍ରଥମ ଇନିଂସରେ ୧୭୭ ରନରେ ଅଲଆଉଟ୍‌ ହୋଇଥିଲା। ଏହି ଇନିଂସରେ ଅଷ୍ଟ୍ରେଲିଆ ପାଇଁ ମାର୍ନସ ଲାବୁଶେନ ସର୍ବାଧିକ ୪୯ ରନ ସଂଗ୍ରହ କରିଥିଲେ। ଷ୍ଟିଭ ସ୍ମିଥ ୩୭ ଏବଂ ଆଲେକ୍ସ କେରି ୩୬ ରନ ସ୍କୋର କରିଥିଲେ। ଏଥିସହିତ ପିଟର ହ୍ୟାଣ୍ଡସକମ୍ବ ୩୧ ରନ ସ୍କୋର କରି ଆଉଟ ହୋଇଥିଲେ। ଏହି ଚାରିଜଣଙ୍କ ବ୍ୟତୀତ କୌଣସି କଙ୍ଗାରୁ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ତିନି ଖେଳାଳି ସେମାନଙ୍କ ଆକାଉଣ୍ଟ ମଧ୍ୟ ଖୋଲିପାରି ନ ଥିଲେ। ଭାରତ ପକ୍ଷରୁ ରବିନ୍ଦ୍ର ଜାଡେଜା ଚମତ୍କାର ବୋଲିଂ କରି ୫ଟି ଉଇକେଟ ନେଇଥିବା ବେଳେ ଅଶ୍ୱିନ ଭାରତ ପାଇଁ ୩ଟି ଉଇକେଟ ନେଇଛନ୍ତି। ମହମ୍ମଦ ଶାମି ଏବଂ ସିରାଜ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

Share