ରାକେଶ ମାରିଆଙ୍କ ବାୟୋପିକ ନିର୍ମାଣ କରିବେ ରୋହିତ ସେଟ୍ଟି

ମୁମ୍ବାଇ: ସିଂଘମ, ଚେନ୍ନାଇ ଏକ୍ସପ୍ରେସ ଓ ବ୍ଲକବଷ୍ଟର ହିଟ ଗୋଲମାଲ ଫ୍ରାଞ୍ଚାଇଜର ନିର୍ଦ୍ଦେଶକ ରୋହିତ ସେଟ୍ଟି ପୂର୍ବତନ ପୋଲିସ କମିଶନର ରାକେଶ ମାରିଆଙ୍କ ବାୟୋପିକ୍ ନିର୍ମାଣ କରିବାକୁ ଯାଉଛନ୍ତି । ଏଥିପାଇଁ ରୋହିତ ସେଟ୍ଟି ରିଲାଏନ୍ସ ଏଣ୍ଟରଟେନମେଣ୍ଟ ସହ ହାତ ମିଳାଇଛନ୍ତି । ବାୟୋପିକ ମାରିଆଙ୍କ ୨୦୨୦ର ସଂସ୍ମରଣ ଲେଟ ମି ସେ ଇଟ ନାମରେ ଆଧାରିତ ହେବ । ବାୟୋପିକ ପାଇଁ କାଷ୍ଟିଂ କରାଯାଉଛି ।
ବାୟୋପିକ ସମ୍ପର୍କରେ କଥା ହୋଇ ରୋହିତ ସେଟ୍ଟି କହିଛନ୍ତି, ରାକେଶ ମାରିଆ ସେହି ବ୍ୟକ୍ତି ଯେ ୩୬ ବର୍ଷ ପର୍ଯ୍ୟନ୍ତ ଆତଙ୍କ ଦେଖିଛନ୍ତି । ତାଙ୍କର ଅବିଶ୍ୱସନୀୟ ଯାତ୍ରା ୧୯୯୩ରେ ମୁମ୍ବାଇରେ ହୋଇଥିବା ବିସ୍ଫୋରଣରୁ ଆରମ୍ଭ କରି ଅଣ୍ଡରୱାର୍ଲଡଙ୍କ ବିପଦ ପର୍ଯ୍ୟନ୍ତ ରହିଛି । ରିୟଲ ଲାଇଫର ସୁପର ହିରୋଙ୍କ ବାହାଦୂରି ଓ ଲିଡରଶିପକୁ ପରଦାକୁ ଆଣିଥିବାରୁ ମୁଁ ସମ୍ମାନୀତ ବୋଧ କରୁଛି ବୋଲି ସେଟ୍ଟି କହିଛନ୍ତି ।
ଆଇପିଏସ୍ ମାରିଆ ୧୯୮୧ ବ୍ୟାଚର ସିଭିଲ ସର୍ଭିସ ପରୀକ୍ଷା ପାସ କରିଥିଲେ । ୧୯୯୩ରେ ପୋଲିସ କମିଶନର ଭାବେ ସେ ମୁମ୍ବାଇ ସିରିଏଲ ବ୍ଲାଷ୍ଟ ମାମଲାର ଯାଞ୍ଚ କରିଥିଲେ । ମାରିଆ ୨୦୦୩ ଗେଟ ୱେ ଅଫ୍ ଇଣ୍ଡିଆ ଓ ଜାବୋରି ବଜାର ବିସ୍ଫୋରଣର ବି ଯାଞ୍ଚ କରିଥିଲେ ।
ଦେଶର ଆର୍ଥିକ ରାଜଧାନୀରେ ହୋଇଥିବା ୨୬/୧୧ ଆକ୍ରମଣର ଯାଞ୍ଚ ବି ତାଙ୍କୁ ଦିଆଯାଇ ଥିଲା । ମାରିଆ ଜୀବିତ ଭାବେ ଧରାପଡିଥିବା ଏକମାତ୍ର ଆତଙ୍କବାଦୀ ଅଜମଲ କସାବକୁ ବି ପଚରା ଉଚରା କରିଥିଲେ ଓ ମାମଲାକୁ ସଫଳତା ପୂର୍ଣ୍ଣ ଯାଞ୍ଚ କରିଥିଲେ ।
ବାୟୋପିକକୁ ନେଇ ମାରିଆ କହିଛନ୍ତି ଯାତ୍ରାକୁ ପୁଣିଥରେ ଜୀବିତ କରିବା ରୋମାଞ୍ଚକର ଅନୁଭୁତି ହେବ । ରୋହିତ ସେଟ୍ଟିଙ୍କ ଭଳି ଜଣେ ଆଗଧାଡିର ନିର୍ଦ୍ଦେଶକ ମୋର ବାୟୋପିକ ନିର୍ମାଣ କରୁଛନ୍ତି ଏହା ମୋ ପାଇଁ ଖୁସିର କଥା ବୋଲି ମାରିଆ କହିଛନ୍ତି । ପୁରୁଣା ସ୍ମୃତିଠାରୁ ଅଧିକ, କଠିନ ପରିସ୍ଥିତିର ସାମ୍ନା କରି କାମ କରୁଥିବା ମୁମ୍ବାଇ ପୋଲିସର ଅସାଧାରଣ କାମକୁ ଲୋକଙ୍କ ସାମ୍ନାକୁ ଆଣିବାର ଏହାଏକ ମୂଲ୍ୟବାନ ସମୟ ବୋଲି ମାରିଆ କହିଛନ୍ତି ।

Share