ନୂଆଦିଲ୍ଲୀ,୧୫।୧୨: ଟିମ ଇଣ୍ଡିଆର ସିନିୟର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଅଷ୍ଟ୍ରେଲିଆ ଗସ୍ତକୁ ନେଇ ଲାଗି ରହିଥିବା ଅନିଶ୍ଚିତତାର ଅନ୍ତ ଘଟିଛି। ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ ଆଗାମୀ ଟେଷ୍ଟ ସିରିଜ୍ ଖେଳିବା ପାଇଁ ମଙ୍ଗଳବାର ସକାଳୁ ଅଷ୍ଟ୍ରେଲିଆ ଗସ୍ତ କରିଛନ୍ତି।
ଗତ ମାସରେ ଶେଷ ହୋଇଥିବା ଆଇପିଏଲରେ ଆହତ ହୋଇଥିଲେ ରୋହିତ। ଏହାପରେ ଫିଟ୍ନେସ ସମସ୍ୟା ଯୋଗୁ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଓ ଟି୨୦ ସିରିଜରୁ ବାଦ ଦିଆଯାଇଥିଲା। ପରେ ତାଙ୍କୁ ସାମିଲ କରାଯାଇଥିଲା ଭାରତୀୟ ଟେଷ୍ଟ ଦଳରେ। ହେଲେ ଫିଟ୍ନେସ ଉପରେ ସବୁ କିଛି ନିର୍ଭର କରୁଥିଲା। ଫିଟନେସ ଟେଷ୍ଟ ପାସ କରିବା ପରେ ତାଙ୍କୁ ଅଷ୍ଟ୍ରେଲିଆ ଗସ୍ତ କରିବାକୁ ମିଳିଥିଲା ଅନୁମତି।
ରୋହିତ ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ସେଠାରେ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବେ। ଏଣୁ ସେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇ ଟେଷ୍ଟ ଖେଳିପାରିବେ ନାହିଁ। କେବଳ ତୃତୀୟ ଓ ଚତୁର୍ଥ ମ୍ୟାଚ୍ ପାଇଁ ବରିଷ୍ଠ ଓପନରଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି।