Categories: ଖେଳ

ବିଶ୍ୱକପ, ଏସିଆ କପ୍‌ ପୂର୍ବରୁ ୪ର୍ଥ ସ୍ଥାନ ଚିନ୍ତାରେ ରୋହିତ

ମୁମ୍ବାଇ,୧୧ା୮(ପି.ଟି.):ଭରତୀୟ ଦଳର ବ୍ୟାଟିଂ ଲାଇନ୍‌ ଅପ୍‌ ଦଳର ମୁଖ୍ୟ ଚିନ୍ତା ରହିଥିବା ବେଳେ ଦିନିକିଆ ବିଶ୍ୱକପ ଓ ଏସିଆ କପ୍‌ ପୂର୍ବରୁ ଚିନ୍ତାରେ ଅଧିନାୟକ ରୋହିତ ଶର୍ମା। ୨୦୧୯ ବିଶ୍ୱକପ ପରି ଭାରତୀୟ ଦଳ ଏହାର ୪ ନମ୍ବର ବ୍ୟାଟିଂ ଲାଇନ୍‌ଅପ୍‌କୁ ନେଇ ଚିନ୍ତାରେ ରହିଛି। ଲାଲିଗାର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଭାରତୀୟ ଅଧିନାୟକ ଏହି ମନ୍ତବ୍ୟ ଦେଇଛନ୍ତି। ଏହି ପୋଜିସନ୍‌ ପାଇଁ ଭାରତ ଶେୟସ୍‌ ଆୟର ଓ ଲୋକେଶ ରାହୁଲଙ୍କୁ ବିଚାର କରୁଥିବା ବେଳେ ଉଭୟ ବର୍ତ୍ତମାନ ଆହତ ଅଛନ୍ତି। ଯୁବରାଜ ସିଂଙ୍କ ପରେ କୌଣସି ବି ଖେଳାଳି ଏହି ଦାୟିତ୍ୱକୁ ସଠିକ ଭାବରେ ନିର୍ବାହ କରିବାରେ ବିଫଳ ହୋଇଛନ୍ତି। ଯୁବରାଜ ୨୦୧୧ ଦିନିକିଆ ବିଶ୍ୱକପରେ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ରହିଥିଲେ। ଶ୍ରେୟସ ଆୟର ଏହି ଭୂମିକାରେ ଦୀର୍ଘ ଦିନ ଧରି ଏହି ପୋଜିଶନରେ ବ୍ୟାଟିଂ କରିଛନ୍ତି। ୨୦ ମ୍ୟାଚରେ ସେ ୪ ନମ୍ବର ସ୍ଥାନରେ ବ୍ୟାଟିଂ କରି ୪୭ ଆଭରେଜରେ ୮୦୫ ରନ୍‌ ସ୍କୋର କରିଛନ୍ତି। ଶ୍ରେୟସଙ୍କ ନମ୍ବର ଠିକ୍‌ ଥିଲେ ମଧ୍ୟ ବାରମ୍ବାର ଆହତ ହେବା ତାଙ୍କ ପାଇଁ ଏକ ବଡ ସମସ୍ୟା ରହି ଆସିଛି।
ଏପରିକି ଲୋକେଶ ରାହୁଲ ଭାରତ ପାଇଁ ଉଭୟ ୪ଓ ୫ ନମ୍ବରରେ ଏକ ଭଲ ବିକଳ୍ପ ରହିଥିଲେ। ଏହା ସହିତ ସେ ଉଇକେଟ କିପିଂ ମଧ୍ୟ କରିଥାନ୍ତି ଯାହା ଦଳ ପାଇଁ ବୋନସ। ରାହୁଲ ମଧ୍ୟ ଆହତ ହୋଇ ଦଳକୁ ସମସ୍ୟାରେ ପକାଇଛନ୍ତି। ଉଭୟ ଖେଳାଳି ଆହତ ସମସ୍ୟାରୁ ଫେରୁଥିବା ବେଳେ ଏସିଆ କପ୍‌ ଦଳରେ ସ୍ଥାନ ମିଳିବାକୁ ନେଇ ସମସ୍ୟା ଦେଖା ଦେଇଛି। ଏସିଆ କପ୍‌ ନ ଖେଳିଲେ ଭାରତୀୟ ବିଶ୍ୱକପ ଦଳକୁ ଏହି ଦୁଇ ଖେଳାଳିଙ୍କ ଚୟନ ହେବା ମଧ୍ୟ ଅସମ୍ଭବ ହେବ। ଯଦି ଏହି ଦୁଇ ଖେଳାଳି ଫିଟ୍‌ ନ ହୁଅନ୍ତି ତେବେ ଭାରତୀୟ ମ୍ୟାନେଜମେଣ୍ଟ ଅନ୍ୟ ବିକଳ୍ପ ଉପରେ ନଜର ପକାଇବ ବୋଲି ରୋହିତ କହିଛନ୍ତି।

Share