Categories: ଖେଳ

ଏନ୍‌ସିଏରେ ରୋହିତଙ୍କ ଫିଟ୍‌ନେସ ଟ୍ରେନିଂ ଆରମ୍ଭ

ବେଙ୍ଗାଲୁରୁ, ୨୦।୧୧(ପି.ଟି.)-ଅଷ୍ଟ୍ରେଲିଆ ଗସ୍ତରେ ଯିବାପାଇଁ ପ୍ରସ୍ତୁତ ହେଉଥିବା ରୋହିତ ଶର୍ମା ଗୁରୁବାର ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)ରେ ଫିଟ୍‌ନେସ୍‌ ଟ୍ରେନିଂ ଆରମ୍ଭ କରିଛନ୍ତି। ରୋହିତ ଅଷ୍ଟ୍ରେଲିଆ ବିପକ୍ଷ ସୀମିତ ଓଭର କ୍ରିକେଟ ସିରିଜ ପାଇଁ ଭାରତୀୟ ଦଳରେ ସାମିଲ ନାହାନ୍ତି। ହାମ୍‌ଷ୍ଟ୍ରିଙ୍ଗ ଇଞ୍ଜୁରି ପାଇଁ ପ୍ରଥମେ ଟେଷ୍ଟ ଦଳରୁ ମଧ୍ୟ ବାଦ୍‌ ପଡ଼ିଥିଲେ ହେଁ ପରେ ପରିବର୍ତ୍ତିତ ଦଳ ତାଲିକାରେ ତାଙ୍କୁ ସାମିଲ କରାଯାଇଛି। ଆହତ କାରଣରୁ ରୋହିତ ମୁମ୍ବାଇ ଇଣ୍ଡିଆନ୍ସର ୪ଟି ଲିଗ୍‌ମ୍ୟାଚ ଖେଳିପାରି ନ ଥିଲେ। ଫଳରେ ସେ ସୁସ୍ଥ ହେବାପାଇଁ କିଛିଦିନ ସମୟ ନେବେ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଅନୁଭବ କରିଥିଲା। ମାତ୍ର ଆଇପିଏଲ ଫାଇନାଲ ସମେତ ମୁମ୍ବାଇର ଶେଷ ୩ଟି ମ୍ୟାଚ ଖେଳି ସେ ଗୁରୁତର ଆହତ ନ ଥିବା ସୂଚନା ଦେଇଥିଲେ। ଫାଇନାଲରେ ସେ ୬୮ ରନ କରି ଟପ୍‌ ସ୍କୋରର ମଧ୍ୟ ରହିଥିଲେ। ୪ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ପରେ ଅଧିନାୟକ ବିରାଟ କୋହଲି ସ୍ବଦେଶ ଫେରିବେ। ସ୍ତ୍ରୀ ଅନୁଷ୍କା ପ୍ରଥମ ସନ୍ତାନର ଜନନୀ ହେବାକୁ ଯାଉଥିବାରୁ କୋହଲି ତାଙ୍କ ସହିତ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ତେଣୁ ସେତେବେଳକୁ ରୋହିତ ଫିଟ୍‌ ହେବା ଜରୁରୀ ହୋଇପଡ଼ିଛି। ବୁଧବାର ଦ୍ରୁତ ବୋଲର ଈଶାନ୍ତ ଶର୍ମା ଟ୍ରେନିଂ ଆରମ୍ଭ କରିଥିଲେ। ଉଭୟ ଈଶାନ୍ତ ଓ ରୋହିତ ଫିଟ୍‌ ହେବାପରେ ଅଷ୍ଟ୍ରେଲିଆ ଯାଇ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରହିବେ। ତା’ ପରେ ଦଳସହ ଯୋଗଦେବେ।

Share