Categories: ଫୁରସତ

ପୁଷ୍ଟିକର ଖାଦ୍ୟରେ ଦୁଗ୍ଧର ଭୂମିକା

ଦୁଗ୍ଧ ହେଉଛି ବିଭିନ୍ନ ଖାଦ୍ୟ ମଧ୍ୟରେ ମନୁଷ୍ୟ ତଥା ସମସ୍ତ ସ୍ତନ୍ୟପାୟୀ ପ୍ରାଣୀଙ୍କ ପାଇଁ ପ୍ରକୃତିର ଶ୍ରେଷ୍ଠ ଦାନ। ଆମ ବିଶ୍ୱରେ ଏପରି ଏକ କୌଣସି ଖାଦ୍ୟ ନାହିଁ, ଯାହାକି ଦୁଗ୍ଧର ପରିପୂରକ ବା ସମକକ୍ଷ ହୋଇପାରିବ। ଜନ୍ମଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ କି ଆବାଳ ବୃଦ୍ଧବନିତା ଏବଂ ରୋଗୀଠାରୁ ଭୋଗୀ ପର୍ଯ୍ୟନ୍ତ ସମସ୍ତଙ୍କର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଅତ୍ୟନ୍ତ ପ୍ରିୟ ଖାଦ୍ୟ ଏବଂ ସଦାସର୍ବଦା ଖାଦ୍ୟୋପଯୋଗୀ ଓ ଗ୍ରହଣୀୟ।
୧୯୪୦ ମସିହାରେ ଭାରତୀୟ ଡେଏରୀ ଶିଳ୍ପର ଅଭ୍ୟୁଦୟ ଘଟିଲା। ଶ୍ୱେତ ବିପ୍ଳବରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିବା ଯୋଗୁ ୧୯୯୮-୧୯୯୯ ମସିହାରେ ଆମ ଦେଶ ବିଶ୍ୱରେ ଦୁଗ୍ଧ ଉପତ୍ାଦନରେ ପ୍ରଥମ ସ୍ଥାନ ଅଧିକାର କରି ଏକ ଗୌରବମୟ ଅଧ୍ୟାୟ ସୃଷ୍ଟି କରିପାରିଛି। ଇଂ. ଭର୍ଗିସ୍‌ କ୍ୟୁରିଆନ୍‌ଙ୍କ ଜନ୍ମଦିବସରେ ଆମ ଦେଶରେ ପ୍ରତିବର୍ଷ ଜାତୀୟ ଦୁଗ୍ଧଦିବସ ପାଳିତ ହେଉଅଛି। ଆମ ଭାରତରେ ଦୁଗ୍ଧ ସମବାୟ ଆନ୍ଦୋଳନରେ ଆଜୀବନ ଉତ୍ସର୍ଗୀକୃତ ସେବାପାଇଁ ଶ୍ୱେତ ବିପ୍ଳବର ପିତାମହ ଭାବେ କ୍ୟୁରିଆନ୍‌ଙ୍କୁ ଆଖ୍ୟା ଦିଆଯାଇଛି। ଆମ ରାଜ୍ୟ ତଥା ଦେଶର ଦୁଗ୍ଧଚାଷୀଙ୍କ ଅନବରତ ଗୋସେବା ଓ ନିଷ୍ଠାପର ଉଦ୍ୟମ ଯୋଗୁ ଏହା କେବଳ ସମ୍ଭବ ହୋଇପାରିଛି। ଆମ ରାଜ୍ୟରେ ଦୁଗ୍ଧ ଉପତ୍ାଦନ ୨୦୧୦-୧୧ ବର୍ଷରେ ୧୬୭୦ ହଜାର ମେଟ୍ରିକ ଟନ୍‌ ହୋଇଥିବା ବେଳେ ଅଦ୍ୟାବଧି ଏହା ଆଶାତୀତ ଭାବେ ବୃଦ୍ଧି ପାଇ ୨୦୨୨-୨୩ ବର୍ଷରେ ୨୪୭୬ ହଜାର ମେଟ୍ରିକ ଟନ୍‌କୁ ପହଞ୍ଚି ପାରିଛି ଏବଂ ଆମ ପଡୋଶୀ ରାଜ୍ୟକୁ ପଠାଯାଉଛି।
ଆମ ରାଜ୍ୟରେ ଦୁଗ୍ଧ ଚାଷୀଙ୍କଠାରୁ ଦୁଗ୍ଧ ସଂଗ୍ରହ, ସଂରକ୍ଷଣ ଓ ବିକ୍ରିବଟାର ସୁବିଧା ପାଇଁ ଓମ୍‌ଫେଡ୍‌ କାର୍ଯ୍ୟ କରୁଛି। ୧୯୮୦ ମସିହାରେ ରାଜ୍ୟ ସ୍ତରରେ ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉପତ୍ାଦକ ମହାସଂଘ ଗଠନ କରାଗଲା। ସର୍ବପ୍ରଥମେ କଟକ, ପୁରୀ, କେନ୍ଦୁଝର ଓ ଢେଙ୍କାନାଳ ଜିଲା ଦୁଗ୍ଧ ସଂଘକୁ ଅନ୍ତର୍ଭୁକ୍ତ କରାଯାଇ ଓମ୍‌ଫେଡ୍‌ ସ୍ଥାପନ କରାଯିବା ସହିତ ରାଜ୍ୟରେ ଦୁଗ୍ଧ ପ୍ରକ୍ରିୟାକରଣ ଓ ବିପଣନ ବ୍ୟବସ୍ଥାକୁ ସଂଗଠିତ କରାଗଲା। ଦୁଗ୍ଧ ସଂଗ୍ରହ, ଶୀତଳୀକରଣ, ସଂରକ୍ଷଣ, ଦୁଗ୍ଧଜାତ ସାମଗ୍ରୀ ପ୍ରସ୍ତୁତି ଏବଂ ବିକ୍ରିବଟା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନେଇ ଓମ୍‌ଫେଡ୍‌ ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଅଛି। ବର୍ତ୍ତମାନ ଓମ୍‌ଫେଡ୍‌ ଖାଉଟିମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସ୍ବଚ୍ଛ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟର ଗୁଣବତ୍ତା ପ୍ରତି ସଦାସର୍ବଦା ଗୁରତ୍ୱ ଦେଇଆସିଛି।
ତେବେ ଆସନ୍ତୁ, ଦୁଗ୍ଧର ବହୁଗୁଣିତ ଉପକାର ନେଇ ଦୁଗ୍ଧକୁ ଉତ୍ତମ ପାନୀୟ ବା ଖାଦ୍ୟ ଭାବେ ବ୍ୟବହାର କରିବା ସହିତ ଆମର ଜୀବନକୁ ସୁସ୍ଥ ଓ ସରସ ସୁନ୍ଦର କରି ଗଢ଼ିତୋଳିବା।
-ଡା. ବୀରକିଶୋର ପରିଡ଼ା,
ପ୍ରାକ୍ତନ ଅତିରିକ୍ତ ନିର୍ଦ୍ଦେଶକ (ପ୍ରାଣୀ ସମ୍ପଦ ବିଭାଗ)

Share