Categories: ବାଣିଜ୍ୟ

ଅର୍ଥନୀତି ଅଭିବୃଦ୍ଧିରେ ଷ୍ଟାର୍ଟଅପ୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୨୦।୧୧ (ଅଭୟ ଦାଶ): ଦେଶର ଅର୍ଥନୀତି ଅଭିବୃଦ୍ଧିରେ ଷ୍ଟାର୍ଟଅପ୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ଏପରିକି ଭାରତକୁ ବିଶ୍ୱର ୩ୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିବାରେ ଷ୍ଟାର୍ଟଅପ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଇଏ) ଭି.ଅନନ୍ତ ନାଗେଶ୍ୱରନ୍‌ କେରଳ ଷ୍ଟାର୍ଟଅପ୍‌ ମିଶନ୍‌ (କେଏସ୍‌ୟୁଏମ୍‌) ଦ୍ୱାରା ଆୟୋଜିତ ହଡଲ୍‌ ଗ୍ଲୋବାଲ୍‌ ୨୦୨୩ର ଶେଷ ଦିନରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏଭଳି କିଛି ମତ ଉପସ୍ଥାପନ କରିଛନ୍ତି। ଏପରିକି ନାଗେଶ୍ୱରନ୍‌ କହିଛନ୍ତି, କେରଳର ରାଜଧାନୀ ସମେତ ଟାୟାର୍‌-୨ ଏବଂ ୩ ସହର ଭିତ୍ତିଭୂମିରେ ଉନ୍ନତି ତଥା ସରକାରଙ୍କ ସମର୍ଥନ ନୀତି ଯୋଗୁ ଦେଶରେ ଷ୍ଟାର୍ଟଅପ୍‌ମାନଙ୍କୁ ବୃଦ୍ଧି କରିବାରେ ଗେମ୍‌ଚେଞ୍ଜର ହୋଇପାରିଛି। ବିଶେଷକରି ଆସନ୍ତା କିଛି ବର୍ଷ ମଧ୍ୟରେ ଭାରତ ତୃତୀୟ ବୃହତ୍ତମ ଅର୍ଥନୀତି ହେବାରେ ସୁଯୋଗ ରଖିଥିବାବେଳେ ବର୍ତ୍ତମାନ ଭାରତ ୫ମ ବୃହତ୍ତମ ଅର୍ଥନୀତି ଅଟେ। ବାସ୍ତବରେ, ମୁଁ କହିବି ୭-ଇନ୍‌-୭ ହେଉଛି ଏକ ଗୁଜବ ସ୍ଲୋଗାନ, ଯାହା ସାତ ବର୍ଷରେ ୭ ଟ୍ରିଲିୟନ ଡଲାର ଅର୍ଥନୀତି ଅଟେ,୨୦୩୦ ସୁଦ୍ଧା ସାତ ଟ୍ରିଲିୟନ ଡଲାରର ଅର୍ଥନୀତି ସମ୍ଭବ, ଯଦି ଭାରତ ବର୍ତ୍ତମାନର ଅଭିବୃଦ୍ଧି ପଥ ବଜାୟ ରଖିବ ଏବଂ ସେହି ଯାତ୍ରା ଷ୍ଟାର୍ଟଅପ୍‌ ଉଦ୍ୟୋଗୀମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ଅପରପକ୍ଷରେ ସେ ମତ ରଖିଥିଲେ ଯେ ଶାରୀରିକ ତଥା ଡିଜିଟାଲ ଭିତ୍ତିଭୂମି ବିସ୍ତାରର ମୂଳଦୁଆ ଉପରେ ବ୍ୟବସାୟିକ ମଡେଲ ବିକାଶରେ ଭାରତରେ ଷ୍ଟାର୍ଟଅପମାନଙ୍କର ସକ୍ରିୟ ଅଂଶଗ୍ରହଣ ରହିଛି, ଦେଶ ପାଇଁ ଦକ୍ଷତା, ରାଜସ୍ବ ଏବଂ ଅର୍ଥନୈତିକ ରିଟର୍ନ ସୃଷ୍ଟି କରିବ। ଗତ ଦଶନ୍ଧିରେ ଭାରତରେ ଷ୍ଟାର୍ଟଅପ୍‌ ଲ୍ୟାଣ୍ଡସ୍କେପରେ ଏକ ଅଭୂତପୂର୍ବ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶ୍ୱସ୍ତରରେ ତୃତୀୟ ବୃହତ୍ତମ ଇକୋସିଷ୍ଟମ୍‌ ଭାବେ ଉଭା ହୋଇଛି ଏବଂ ୭୬୩ ଟି ଜିଲା ମଧ୍ୟରେ ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ ଦ୍ୱାରା ୧.୧୨ ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍‌ ସ୍ବୀକୃତିପ୍ରାପ୍ତ ବୋଲି ସେ ମତପ୍ରକାଶ କରିଛନ୍ତି। ଏପରିକି ସେ କହିଛନ୍ତି, ସେମାନଙ୍କ ମଧ୍ୟରେ ୧୧୦ରୁ ଅଧିକ ୟୁନିକର୍ନ ରହିଛି, ଯାହାର ମୋଟ ମୂଲ୍ୟ ପ୍ରାୟ ୩୫୦ ବିଲିୟନ ଡଲାର ହୋଇଥିବାବେଳେ ନବସୃଜନ ଗୁଣରେ ଦେଶ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ସେ କହିଛନ୍ତି, ଭାରତରେ ନବସୃଜନ କେବଳ କେତେକ କ୍ଷେତ୍ରରେ ସୀମିତ ନୁହେଁ, କାରଣ ଷ୍ଟାର୍ଟଅପ୍‌ ୫୬ଟି ଶିଳ୍ପ କ୍ଷେତ୍ରରେ ସମସ୍ୟାର ସମାଧାନ କରୁଥିଲା, ସେଥିମଧ୍ୟରୁ ୧୩% ଆଇଟି ସେବା, ୯% ସ୍ବାସ୍ଥ୍ୟ ଏବଂ ଜୀବନ ବିଜ୍ଞାନ, ୭% ଶିକ୍ଷା ସମେତ କୃଷି,ଖାଦ୍ୟ ଏବଂ ପାନୀୟରୁ ୫% ରହିଛି।

Share