ଗଡ଼ିଲା କୋଭିଡ୍‌ ଟିକା ଏକ୍ସପ୍ରେସ୍‌

ଅନୁଗୋଳ ଅଫିସ,୨୨।୧ ଅନୁଗୋଳ ଜିଲାରେ କୋଭିଡ୍‌ ଟିକାକରଣକୁ ଶତ ପ୍ରତିଶତ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ଜିଲା କାର୍ଯ୍ୟାଳୟ ପରିସରରୁ ଟିକା ଏକ୍ସପ୍ରେସ୍‌ର ଶୁଭାରମ୍ଭ କରାଯାଇଛି। ଜିଲାରେ ବୁଲି ବୁଲି ସଚେତନ ସହ ଟିକାକରଣରୁ ବଞ୍ଚିତ ଲୋକଙ୍କୁ ଟିକା ଦେବାକୁ ୧୨ଟି ଏକ୍ସପ୍ରେସ୍‌ ଗଡ଼ିବା ଆରମ୍ଭ କରିଛି। ଏହି ସୁସଜ୍ଜିତ ଭ୍ୟାନ୍‌ଗୁଡ଼ିକୁ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଆନୁଷ୍ଠାନିକ ଭାବେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏଥିସହ ଟିକାକରଣ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ନିମନ୍ତେ ନିୟୋଜିତ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି ଭ୍ୟାନ୍‌ ଗାଁକୁ ଗାଁ ବୁଲି ଡାକବାଜି ଯନ୍ତ୍ର ଯୋଗେ ଟିକା ନେଇ ନ ଥିବା ଲୋକମାନଙ୍କୁ ଟିକା ନେବାକୁ ପ୍ରବର୍ତ୍ତାଇବ। ଏହି ଭ୍ୟାନରେ ଜଣେ ଟିକା ଦେବା କର୍ମଚାରୀ, ଜଣେ ଏଏନ୍‌ଏମ୍‌ ଓ ଆଧାରକାର୍ଡ ସହ ଡାଟା ଏଣ୍ଟ୍ରି ଭେରିଫିକେଶନ୍‌ ଲାଗି କର୍ମଚାରୀ ନିୟୋଜିତ ରହିବେ। ଏହି ଭ୍ୟାନ୍‌ ୧୮ ବର୍ଷରୁ ଊର୍ଦ୍ଧ୍ୱ ଓ ବୁଷ୍ଟର ଡୋଜ୍‌ ପ୍ରଦାନ କରିବ। ବାହାରିଥିବା ୧୨ଟି ଭ୍ୟାନ୍‌ ମଧ୍ୟରୁ ପାଲଲହଡା ପାଇଁ ୩ଟି, ଅନୁଗୋଳ ପାଇଁ ୩ଟି, ବଅଁରପାଳ ପାଇଁ ୨ଟି, ଛେଣ୍ଡିପଦା ପାଇଁ ୨ଟି, ଆଠମଲ୍ଲିକ ଓ କଣିହାଁ ପାଇଁ ଗୋଟିଏ ଲେଖାଏ ରହିଛି। ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ, ଅନୁଗୋଳ ପୌରପାଳିକା ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, କେୟାର ଇଣ୍ଡିଆର ପ୍ରତିନିଧି ମହେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Share