ସବୁ ରେକର୍ଡ ଭାଙ୍ଗିଲା କରୋନା: ଏବେ ୪ ଲକ୍ଷ ମୁହାଁ…

ନୂଆଦିଲ୍ଲୀ,୨୯।୪: ଦେଶରେ କରୋନା ସଂକ୍ରମଣ ଯୋଗୁ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଛି। ସ୍ଥିତି ବେଲଗାମ୍‌ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ଲଗାତାର ୮ ଦିନ ଧରି ଦେଶରେ ଚିହ୍ନଟ ହେଉଥିବା ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷରୁ ଅଧିକ ରହିଛି। ୨୧ ରୁ ୨୯ ଏପ୍ରିଲ୍‌ ମଧ୍ୟରେ ଗତ ୮ ଦିନ ମଧ୍ୟରେ ୨୮ ଲକ୍ଷରୁ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। କରୋନା ସଂକ୍ରମର ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୭୯ ହଜାର ୨୫୭ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୩୬୪୫ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏଭଳି ଧାରା ଜାରି ରହିଲେ ଆଉ ଦୁଇ ଦିନ ମଧ୍ୟରେ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ଛୁଇଁବାର ଆଶଙ୍କା ଦେଖାଦେଇଛି। ମୃତକଙ୍କ ସଂଖ୍ୟା ବଢୁଥିବାରୁ ଶ୍ମଶାନ ବାହାରେ ଧାଡ଼ିଧାଡ଼ି ମୃତଦେହ ପଡ଼ି ରହିଥିବା ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳୁଛି।

Share