ମାଓବାଦୀଙ୍କ ବୈଠକ ଯୋଗୁ ଗାଁରେ ବ୍ୟାପୁଛି କରୋନା ମହାମାରୀ ସଂକ୍ରମଣ…

ରାୟପୁର/ସୁକମା,୨୯।୫: ଛତିଶଗଡ଼ରେ ମାଓବାଦୀଙ୍କ ବୈଠକ ଯୋଗୁ ଜଙ୍ଗଲ ମଧ୍ୟରେ ଥିବା ଆଦିବାସୀ ଗାଁଗୁଡ଼ିକରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ସୁକମା ଅଞ୍ଚଳରେ ଥିବା ଆଦିବାସୀ ଗାଁ କର୍ମାଗୋଣ୍ଡିରେ ମାଓବାଦୀଙ୍କ ବୈଠକ ପରେପରେ ହୋଇଥିବା ନମୁନା ପରୀକ୍ଷାରେ ୯୧ ଜଣଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମେ’୨୧ରୁ ୨୭ ପର୍ଯ୍ୟନ୍ତ ଗାଁର ୨୩୯ ଲୋକଙ୍କର ନମୁନା ପରୀକ୍ଷା କରାଯାଇଥିଲା। ଗାଁରେ ଥିବା ୧୨୦ ପରିବାରର ନମୁନା ପରୀକ୍ଷା ୭ ଦିନ ମଧ୍ୟରେ କରାଯାଇଛି। ଗାଁରେ ମାଓବାଦୀମାନେ କେନ୍ଦୁପତ୍ର କାରବାରକୁ ନେଇ କିଛି ଦିନତଳେ ଏକ ବୈଠକ କରିଥିବା ବସ୍ତର ପୋଲିସ ଆଇଜି ସୁନ୍ଦରଜୀ ପଟ୍ଟିଲିଙ୍ଗମ୍‌ ସୂଚନା ଦେଇଛନ୍ତି। ସେହିଭଳି କୁକନାର୍‌ ଗାଁରେ ମଧ୍ୟ ମାଓବାଦୀମାନେ ବୈଠକ କରିଥିବା ସେ କହିଛନ୍ତି। କରୋନାରେ ଆକ୍ରାନ୍ତ ହୋଇ ମାଓବାଦୀ ନେତା ଟେକ୍ନିକାଲ ମୁଖ୍ୟ ଆୟତ କୋରସାଙ୍କର ମୃତ୍ୟୁ ଘଟିଛି। ସେ ହିଡ଼ମାଙ୍କ ନିକଟତମ ଥିଲେ। ଆୟତଙ୍କୁ ତେଲଙ୍ଗାନାର ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଆୟତଙ୍କ ସାଥିରେ ଯାଇଥିବା ୩ ମାଓବାଦୀଙ୍କୁ ଭଦ୍ରାଦି କୋଠେଗୁଡ଼େମ୍‌ ପୋଲିସ ଗିରଫ କରିଥିଲେ। ସେମାନଙ୍କୁ ପଚରା ଉଚରା ସମୟରେ ଏହା ଜଣାପଡ଼ିଥିଲା। ସୁକମା ବିଜାପୁର ଅଞ୍ଚଳ ତେଲଙ୍ଗାନା ସହିତ ସଂଯୋଗ ହୋଇଛି। ଫଳରେ ବହୁ ମାଓବାଦୀ ନେତା ଚିକିତ୍ସା ପାଇଁ ତେଲଙ୍ଗାନା ଯାଉଥିବା ଏସ୍‌ପି ସୁନୀଲ ଦତ୍ତ ପ୍ରକାଶ କରିଛନ୍ତି।

Share