୯୩୪୬ ଶିଶୁଙ୍କୁ ଅନାଥ କରିଛି କରୋନା: ଉତ୍ତରପ୍ରଦେଶରେ ସର୍ବାଧିକ…

ନୂଆଦିଲ୍ଲୀ,୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନା ସଂକ୍ରମଣ ଯୋଗୁ ୯୩୪୬ ଶିଶୁ ମାତାପିତାଙ୍କୁ ହରାଇ ଅନାଥ ହୋଇଛନ୍ତି। ଏନେଇ ରାଷ୍ଟ୍ରୀୟ ବାଳ ଅଧିକାର ସଂରକ୍ଷଣ ଆୟୋଗ(ଏନ୍‌ସିପିସିଆର୍‌) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଉତ୍ତରପ୍ରଦେଶରେ ସର୍ବାଧିକ ୨୧୧୦ ଶିଶୁ ଅନାଥ ହୋଇଛନ୍ତି। ସେହିପରି ବିହାରରେ ୧୩୨୭, କେରଳରେ ୯୫୨ ଏବଂ ମଧ୍ୟପ୍ରଦେଶରେ ୭୧୨ ଜଣ ଶିଶୁ ଅନାଥ ହୋଇଛନ୍ତି। ମେ’ ୨୯ ସୁଦ୍ଧା ବିଭିନ୍ନ ରାଜ୍ୟର ରିପୋର୍ଟରୁ ଏହା ଜଣାପଡ଼ିଛି। ମହାରାଷ୍ଟ୍ରରେ ୪୪୫୧ ଶିଶୁ ମାତା ଅବା ପିତାଙ୍କ ମଧ୍ୟରୁ ଜଣଙ୍କୁ ହରାଇ ଥିବାବେଳେ ୧୪୧ ଜଣ ଅନାଥ ହୋଇଯାଇଥିବା ଏନ୍‌ସିପିସିଆର୍‌ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଜୁନ୍‌ ୭ ମଧ୍ୟରେ ମାତା ପିତାଙ୍କ ହରାଇ ଥିବା ଶିଶୁଙ୍କ ତଥ୍ୟ ଏନ୍‌ସିପିସିଆର୍‌ ଓ୍ବେବ୍‌ସାଇଟ୍‌ ‘ବାଲ୍‌ ସ୍ବରାଜ’ରେ ଅପଲୋଡ୍‌ କରିବା ପାଇଁ ଦେଶର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ସୁପ୍ରିମ୍‌କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି।

Share