Categories: ଖେଳ

ରୋନାଲ୍ଡୋ ସବୁଠୁ ଦାମୀ ଖେଳାଳି

ଲଣ୍ଡନ,୧।୧: କ୍ରିଷ୍ଟିଆନୋ ରୋନାଲ୍ଡୋ ସାଉଦି ଆରବର ଏକ ଫୁଟବଲ କ୍ଲବ ଅଲ୍‌ ନାସର ସହ ଚୁକ୍ତି କରିଛନ୍ତି। ମଧ୍ୟପ୍ରାଚ୍ୟ ଫୁଟ୍‌ବଲ ପାଇଁ ଏହା ଏକ ଉଲ୍ଲେଖନୀୟ ମୁହୂର୍ତ୍ତ ବୋଲି କୁହାଯାଉଛି। କିନ୍ତୁ ୟୁରୋପର ଜଣେ ଅନ୍ୟତମ ବଡ଼ ଷ୍ଟାର ଖେଳାଳି ଖେଳର ଏଲିଟ୍‌ ଷ୍ଟେଜ୍‌ରୁ କ୍ରମେ ହଜିଯିବେ। ରୋନାଲ୍ଡୋ ୨୦୨୫ ପର୍ଯ୍ୟନ୍ତ ଏହି କ୍ଲବ ସହ ଖେଳିବା ଲାଗି ଚୁକ୍ତି କରିଛନ୍ତି। ୫ଥର ବାଲନ ଡି’ଅର୍‌ ପୁରସ୍କାର ବିଜେତା ଦଳର ଜର୍ସି ଧରିଥିବାର ଏକ ଫଟୋକୁ ଅଲ୍‌ ନାସର ସୋସିଆଲ ମିଡିଆରେ ପୋଷ୍ଟ କରିଛି। ଏହା ଏକ ଐତିହାସିକ ମୁହୂର୍ତ୍ତ ବୋଲି କ୍ଲବ ତରଫରୁ ପ୍ରକାଶ କରାଯାଇଛି। ରୋନାଲ୍ଡୋ ଚୁକ୍ତି ସ୍ବାକ୍ଷର କରିବା ଦ୍ୱାରା ଏହା କେବଳ ଆମ କ୍ଲବକୁ ନୁହେଁ, ଆମ ଲିଗ୍‌, ଦେଶ ଏବଂ ଭବିଷ୍ୟତ ପିଢ଼ିର ବାଳକ ଓ ବାଳିକାଙ୍କୁ ପ୍ରେରଣା ଯୋଗାଇ ଦେବ ବୋଲି କ୍ଲବ କହିଛି। ୩୭ ବର୍ଷୀୟ ରୋନାଲ୍‌ଡୋ କିନ୍ତୁ ବହୁ ମୂଲ୍ୟରେ ଏହି ଚୁକ୍ତି ସ୍ବାକ୍ଷର କରିଛନ୍ତି। ମିଡିଆ ରିପୋର୍ଟ ଅନୁସାରେ ପର୍ତ୍ତୁଗାଲ ଷ୍ଟାର ବାର୍ଷିକ ପାଖାପାଖି ୨୦୦ ନିୟୁତ ୟୁରୋ (୧,୭୭୫ କୋଟି ଟଙ୍କା)ଆୟ କରିପାରନ୍ତି। ଫଳରେ ୩ବର୍ଷରେ ସେ ପ୍ରାୟ ୫,୧୦୦ କୋଟି ଟଙ୍କା ପାଇବେ। ଏହାଦ୍ୱାରା ସେ ଖେଳ ଇତିହାସରେ ସବୁଠାରୁ ଦାମୀ ଖେଳାଳି ହୋଇପାରିଛନ୍ତି। ରୋନାଲ୍ଡୋଙ୍କୁ ଆଣିବା ଦ୍ୱାରା ସାଉଦି ଆରବର ଅନ୍ତର୍ଜାତୀୟ ଭାବମୂର୍ତ୍ତି ବୃଦ୍ଧି ପାଇବ। ଦେଶ ୨୦୩୦ ବିଶ୍ୱକପ୍‌ ଆୟୋଜନ ଲାଗି ବିଡ୍‌ ଦାଖଲ ପାଇଁ ବିଚାର କରୁଛି। ସୂଚନାଯୋଗ୍ୟ, ମାଞ୍ଚେଷ୍ଟର ୟୁନାଇଟେଡ୍‌ ତାଙ୍କ ସହ କରିଥିବା ଚୁକ୍ତି ରଦ୍ଦ କରିଦେବା ପରେ ରୋନାଲ୍ଡୋ ଏକ ଟିଭି ସାକ୍ଷାତ୍‌କାରରେ ବିସ୍ଫୋରକ ବୟାନ ଦେଇଥିଲେ। ତାଙ୍କୁ ନ ଖେଳାଇ ବାରମ୍ବାର ବେଞ୍ଚ୍‌ରେ ବସିବାକୁ ଦିଆଯାଇଥିବାରୁ ସେନେଇ ରୋନାଲ୍ଡୋ ମ୍ୟାନେଜର ଏନିକ୍‌ ଟେନ୍‌ ହାଗ୍‌ ଓ କ୍ଲବର ମାଲିକମାନଙ୍କୁ ସମାଲୋଚନା କରିଥିଲେ। ଏପରି କି ତାଙ୍କୁ କ୍ଲବରୁ ସାମୟିକ ସସ୍‌ପେଣ୍ଡ କରାଯାଇଥିଲା। କାତାର ବିଶ୍ୱକପ୍‌ ମଧ୍ୟ ତାଙ୍କ ପାଇଁ ନୈରାଶ୍ୟଜନକ ଥିଲା। ନକ୍‌ଆଉଟ ରାଉଣ୍ଡରେ ତାଙ୍କୁ ବେଞ୍ଚ୍‌ରେ ବସିବାକୁ ହୋଇଥିଲା। ପର୍ତ୍ତୁଗାଲ କ୍ୱାର୍ଟର ଫାଇନାଲରେ ମର୍‌କ୍କୋଠାରୁ ପରାଜିତ ହେବା ପରେ ସେ ଆଖିରେ ଲୁହ ସହ ପଡ଼ିଆ ଛାଡ଼ିଥିଲେ। ଅନ୍ୟପକ୍ଷରେ ସାଉଦି ଆରବ ଗତମାସରେ କାତାର ବିଶ୍ୱକପ୍‌ରେ ଏହାର ସବୁଠାରୁ ବଡ଼ ଅନ୍ତର୍ଜାତୀୟ ବିଜୟ ହାସଲ କରିପାରିଛି। ଗ୍ରୁପ୍‌ ପର୍ଯ୍ୟାୟ ପ୍ରଥମ ମ୍ୟାଚ୍‌ରେ ଦଳ ପୂର୍ବତନ ଚାମ୍ପିୟନ ଆର୍ଜେଣ୍ଟିନାକୁ ହରାଇ ଚକିତ କରିଦେଇଥିଲା।

Share