ବେଲଗ୍ରେଡ୍,୩ା୪(ଏପି)- ଗତ ସପ୍ତାହରେ ବେଲଗ୍ରେଡ୍ରେ ପର୍ତ୍ତୁଗାଲ୍ର ସର୍ବିୟା ବିପକ୍ଷ ଏକ ବିଶ୍ୱକପ୍ କ୍ୱାଲିଫାୟର୍ସ ମ୍ୟାଚରେ କ୍ରିଷ୍ଟିଆନୋ ରୋନାଲ୍ଡୋ ପିନ୍ଧିଥିବା ଅଧିନାୟକ ଆର୍ମବ୍ୟାଣ୍ଡ୍ ବହୁ ମୂଲ୍ୟରେ ନିଲାମ ହୋଇଛି। ସର୍ବିୟାର ଏକ ଚ୍ୟାରିଟି ସଂସ୍ଥା ତରଫରୁ କରାଯାଇଥିବା ନିଲାମରେ ଜଣେ ଅଜଣା ବ୍ୟକ୍ତି ୬୪,୦୦୦ ୟୁରୋ(୭୫,୦୦୦ ଡଲାର) ବିନିମୟରେ ଏହାକୁ କ୍ରୟ କରିଛି। ସ୍ପାଇନାଲ ମସ୍କୁଲାର ଆଟ୍ରୋଫିରେ ପୀଡ଼ିତ ଜଣେ ୬ ବର୍ଷୀୟ ବାଳକର ଚିକିତ୍ସା ପାଇଁ ଅର୍ଥ ସଂଗ୍ରହ ପାଇଁ ଅନଲାଇନ୍ରେ ବିଡ୍ ଆହ୍ବାନ କରାଯାଇଥିଲା। ପର୍ତ୍ତୁଗାଲ-ସର୍ବିୟା ମ୍ୟାଚ ଗତ ଶନିବାର ଖେଳାଯାଇଥିଲା। ଏହି ମ୍ୟାଚ ୨-୨ ଗୋଲରେ ଅମୀମାଂସିତ ଭାବେ ଶେଷ ହୋଇଥିଲା। ମ୍ୟାଚର ଇଞ୍ଜୁରି ଟାଇମ୍ରେ ରୋନାଲ୍ଡୋଙ୍କର ଏକ ଗୋଲ୍କୁ ନାକଚ କରିଦେବାରୁ ସେ ପଡ଼ିଆ ଛାଡ଼ି ଚାଲିଯାଇଥିଲେ। ପର୍ତ୍ତୁଗାଲର ଏହି ଷ୍ଟାର ଖେଳାଳି ମାରିଥିବା ଶଟ୍ଟି ଗୋଲକିପରଙ୍କ ଉପର ଦେଇ ଚାଲିଯାଇଥିଲା। ବଲ୍ଟି ଲାଇନ୍ କ୍ରସ କରିଯାଇଥିବା ତାଙ୍କର ମନେ ହୋଇଥିଲା। କିନ୍ତୁ ଏହା ପୂର୍ବରୁ ବିପକ୍ଷ ଦଳର ଜଣେ ଡିଫେଣ୍ଡର ବଲ୍କୁ କ୍ଲିୟର କରିଦେଇଥିଲେ। ଏହାକୁ କିନ୍ତୁ ସେ ସ୍ବୀକାର କରିବାକୁ ପ୍ରସ୍ତୁତ ନ ଥିଲେ । ଫାଇନାଲ ହ୍ବିସିଲ୍ ପରେ ଡ୍ରେସିଂରୁମ୍ ଆଡକୁ ଅଗ୍ରସର ହୋଇଥିବା ବେଳେ ରୋନାଲ୍ଡୋ ବିରକ୍ତି ପ୍ରକାଶ କରିବାକୁ ଯାଇ ତାଙ୍କ ଆର୍ମବ୍ୟାଣ୍ଡ୍ଟିକୁ କାଢ଼ି ଟଚ୍ଲାଇନ୍ ନିକଟରେ ପକାଇ ଦେଇଥିଲେ। ମ୍ୟାଚ ପରେ ଡ୍ୟୁଟିରେ ଥିବା ଜଣେ ଫାୟାରଫାଇଟର ଆର୍ମବ୍ୟାଣ୍ଡ୍ଟିକୁ ତଳୁ ଉଠାଇ ଚ୍ୟାରିଟି ଗ୍ରୁପ୍କୁ ପ୍ରଦାନ କରିଥିଲେ। ଏହି ଆଚରଣ ପାଇଁ ରେନାଲ୍ଡୋଙ୍କୁ ସମାଲୋଚିତ ହେବାକୁ ପଡ଼ିଥିଲା। ବିଶ୍ୱ ଫୁଟ୍ବଲ ପରିସଂଚାଳନ ସଂସ୍ଥା ଫିଫା ଦ୍ୱାରା ଦଣ୍ଡିତ ହୋଇପାରନ୍ତି ବୋଲି କେତେକ କହିଛନ୍ତି।