Categories: ଖେଳ

ରୋନିତ ଚାମ୍ପିୟନ

ଭୁବନେଶ୍ୱର, ୧।୫(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ଟଙ୍କପାଣି ରୋଡ୍‌ସ୍ଥିତ ସାଇ ବୀଣାପାଣି ଜ୍ଞାନମନ୍ଦିର ପରିସରରେ ରବିବାର ୨ୟ ଶ୍ୟାମଳୀ ଦେ ମେମୋରିଆଲ ସ୍କୁଲ୍ସ ଓପନ ଚେସ୍‌ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇଯାଇଛି। ୫ ରାଉଣ୍ଡ ବିଶିଷ୍ଟ ଟୁର୍ନାମେଣ୍ଟରେ ଜଟଣୀର ଆଶା ଇଣ୍ଟରନ୍ୟାଶନାଲ ସ୍କୁଲର ରୋନିତ ଅଗ୍ରଓ୍ବାଲ ପୂରା ୫ ପଏଣ୍ଟ ପାଇ ଚାମ୍ପିୟନ ହୋଇଛନ୍ତି। ଖଣ୍ଡଗିରି ସେଣ୍ଟ ଜାଭିୟର୍ସ ହାଇସ୍କୁଲର ସାଇ ଅଂଶୁମାନ ସିଂ ୪.୫ ପଏଣ୍ଟ ସହିତ ରନରଅପ୍‌ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ତ୍ରିଦେବ ତୀର୍ଥଙ୍କର, ସି.ଏଚ୍‌. କାର୍ତ୍ତିକେଶ, ସୂର୍ଯ୍ୟାଂଶୁ ମହାକୁଡ଼, ଆୟୁଷ ପରିଡ଼ା, ନମସ୍ୟ ନଳିନୀ, ଲଳିତ ରଞ୍ଜନ ସାହୁ, ପ୍ରତ୍ୟୁଷ ନାୟକ, ଦିବ୍ୟାଂଶୁ କୁମାର ପଶାୟତ ଟପ୍‌-୧୦ ଫିନିଶ୍‌ କରିଛନ୍ତି। ମୁଖ୍ୟ ପୁରସ୍କାର ବ୍ୟତୀତ ୭, ୯, ୧୧, ୧୩ ବର୍ଷରୁ କମ୍‌ ଓ ବାଳିକା ବର୍ଗରେ ୨ ଜଣ ଲେଖାଏ ଏବଂ ୬ ଖେଳାଳିଙ୍କୁ ସ୍ବତନ୍ତ୍ରଭାବେ ପୁରସ୍କୃତ କରାଯାଇଛି। ୪ ବର୍ଷ ୧୦ ମାସର ଜି. ଗୋମେଶ ପ୍ରତିଯୋଗିତାର ସର୍ବକନିଷ୍ଠ ପ୍ରତିଯୋଗୀ ଥିଲେ। ଏସ୍‌ଡିଏମ୍‌ ସଫ୍ଟଓ୍ବେର ସଲ୍ୟୁଶନ୍ସର ପରିଚାଳନା ନିର୍ଦ୍ଦେଶକ ଦୀପରେଖା ଦେ ଓ ବରଗଡ଼ ବ୍ରିଟ୍‌ କଲୋନୀସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ବରିଷ୍ଠ ଶିକ୍ଷୟିତ୍ରୀ ଶୁଭଲକ୍ଷ୍ମୀ ପଟ୍ଟନାୟକ ଅତିଥିଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଆର୍ବିଟର ଦେବାଶିଷ ପାଣିଗ୍ରାହୀ ଓ ସାଇ ବୀଣାପାଣି ଜ୍ଞାନମନ୍ଦିରର ସମ୍ପାଦକ ଭବାନୀ ଶଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

 

Share