Categories: ଜାତୀୟ

ଭାଜପା ପ୍ରାର୍ଥୀ ତାଲିକାକୁ ନେଇ ତୁମୁଳକାଣ୍ଡ

ଗୁଆହାଟୀ,୩୧।୧ : ମଣିପୁର ବିଧାନସଭା ନିର୍ବାଚନ ଲାଗି ଭାଜପା ଏହାର ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ଦଳୀୟ କର୍ମୀ ତୁମୁଳକାଣ୍ଡ କରିଛନ୍ତି। ରବିବାର ଭାଜପା ସମର୍ଥକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ ସିଂଙ୍କ କୁଶପୁତ୍ତଳିକା ଦାହ କରିବା ସହ ସେମାନଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଦଳୀୟ କାର୍ଯ୍ୟାଳୟରେ ଭଙ୍ଗାରୁଜା କରାଯାଇଛି। ଅନେକ ସ୍ଥାନରେ ଦଳୀୟ କର୍ମୀ ଓ ସମର୍ଥକମାନେ ପ୍ଲାକାର୍ଡ ଧରି ବିକ୍ଷୋଭକୁ ଓହ୍ଲାଇବା ପରେ ଇମ୍ଫାଲସ୍ଥିତ ଭାଜପା ମୁଖ୍ୟ କାର୍ଯ୍ୟାଳୟରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି।
ଭାଜପା ମଣିପୁରର ସମସ୍ତ ୬୦ ଆସନରେ ନିର୍ବାଚନ ଲଢ଼ିବ ବୋଲି ରବିବାର ଘୋଷଣା କରିବା ସହ ପ୍ରାର୍ଥୀମାନଙ୍କ ତାଲିକା ପ୍ରକାଶ କରିଥିଲା। ସେଥିରେ ୧୦ ଜଣ ପୂର୍ବତନ କଂଗ୍ରେସ ନେତାଙ୍କ ସମେତ ୧୬ ବିଧାୟକ ରହିଛନ୍ତି। ସେମାନେ ଟିକେଟ ପାଇବା ପାଇଁ କିଛିଦିନ ପୂର୍ବରୁ ଭାଜପାରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ବୀରେନ ସିଂ ତାଙ୍କର ପାରମ୍ପରିକ ହେଇଙ୍ଗାଙ୍ଗ ଆସନରୁ ଲଢ଼ିବାକୁ ଥିବାବେଳେ ଅନ୍ୟତମ ପ୍ରଭାବଶାଳୀ ମନ୍ତ୍ରୀ ବିଶ୍ୱଜିତ ସିଂଙ୍କୁ ଥୋଙ୍ଗ୍‌ଜୁରୁ ପ୍ରାର୍ଥୀ କରାଯାଇଛି। ତେବେ ଅନ୍ୟ ଦଳରୁ ଆସିଥିବା ଏତେସଂଖ୍ୟକ ନେତାଙ୍କୁ ଭାଜପା ଟିକେଟ ଦେବାରୁ ବହୁ ଦଳୀୟ ଆଶାୟୀ ପ୍ରାର୍ଥୀ ହେବାରୁ ବଞ୍ଚତ୍ତ ହୋଇଛନ୍ତି। ଏହାକୁ ନେଇ ଦଳ ଭିତରେ ଅସନ୍ତୋଷ ଚରମ ସୀମାରେ ପହଞ୍ଚତ୍ଛି। ଟିକେଟ ଆଶାୟୀ ଥିବା କେତେଜଣ ଭାଜପା ନେତା ଇସ୍ତଫା ଦେଇଛନ୍ତି। ଫଳରେ ନିର୍ବାଚନ ପୂର୍ବରୁ ଦଳକୁ ଶକ୍ତ ଝଟକା ଲାଗିଛି।
୨୦୧୭ ନିର୍ବାଚନରେ ଭାଜପା ୨୧ ଆସନରେ ବିଜୟୀ ହୋଇଥିଲେ ମଧ୍ୟ ଛୋଟ ଦଳ ଏବଂ ସ୍ବାଧୀନ ବିଧାୟକମାନଙ୍କ ସମର୍ଥନରେ ସରକାର ଗଢ଼ିଥିଲା। ଭାଜପାର ୨୧ ବିଧାୟକଙ୍କ ମଧ୍ୟରୁ ୧୯ ଜଣଙ୍କୁ ଟିକେଟ ମିଳିଥିବାବେଳେ ୨ ଜଣଙ୍କୁ ବାଦ୍‌ ଦିଆଯାଇଛି। ୩ ଜଣ ମହିଳା ଏବଂ ଜଣେ ମୁସଲମାନ ପ୍ରାର୍ଥୀ ହୋଇଛନ୍ତି। ଭାଜପାରେ ଯୋଗଦେଇଥିବା ପୂର୍ବତନ ମଣିପୁର କଂଗ୍ରେସ ସଭାପତି ଗୋବିନ୍ଦାସ କୋନ୍ଥୁଜାମ୍‌ଙ୍କୁ ଟିକେଟ ମିଳିଛି।

Share