ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ୍‌ ଠକେଇ ମାମଲା: ଶୁଭ୍ରାଙ୍କୁ ୩ ଘଣ୍ଟା ଜେରା, ୩ ସହଯୋଗୀଙ୍କୁ ନୋଟିସ୍‌

ଭୁବନେଶ୍ୱର,୨୦।୧(ବ୍ୟୁରେ): ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ଗିରଫ ହୋଇ ରିମାଣ୍ଡରେ ଆସିଥିବା ଅଭିନେତ୍ରୀ ଶୁଭ୍ରା କୁଣ୍ଡୁଙ୍କୁ ଦ୍ୱିତୀୟ ଦିନରେ ସିବିଆଇ ୩ଘଣ୍ଟା ଜେରା କରିଛି। ଜେରାବେଳେ ଏହି ଠକେଇରେ ରାଜ୍ୟର ବହୁ ବଡ଼ ବଡ଼ ନେତା ଓ ପ୍ରଭାବଶାଳୀଙ୍କ ଲିଙ୍କ୍‌ ଥିବା ସୁରାକ୍‌ ମିଳିଥିବାରୁ ଏନେଇ ସିବିଆଇ ଶୁଭ୍ରାଙ୍କୁ ଗୁଡ଼େଇତୁଡ଼େଇ ପ୍ରଶ୍ନ ପଚାରିଥିଲା। ଏହି ସମୟରେ ଶୁଭ୍ରା ୩ଜଣ ସହଯୋଗୀଙ୍କ ନାମ ନେଇଥିଲେ। ଉକ୍ତ ତିନିଜଣ ଶୁଭ୍ରାଙ୍କ ସହ ସଂସ୍ଥାର ଚେୟାରମ୍ୟାନ୍‌ ଥିବା ସ୍ବାମୀ ଗୌତମ କୁଣ୍ଡୁଙ୍କୁ ସହଯୋଗ କରୁଥିଲେ। ତାଙ୍କ ବୟାନ ଆଧାରରେ ସିବିଆଇ ସେମାନଙ୍କୁ ହାଜର ପାଇଁ ନୋଟିସ୍‌ ଦେଇଥିବା ସୂଚନା ମିଳିଛି। ତେବେ ସିବିଆଇ ପକ୍ଷରୁ ତାଙ୍କ ନାମ ପ୍ରକାଶ କରାଯାଇନାହିଁ। ଅନ୍ୟପକ୍ଷରେ ସିବିଆଇ ପକ୍ଷରୁ ଏହି ମାମଲାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ସେମାନେ ଅନେକଥର କମ୍ପାନୀ କାର୍ଯ୍ୟରେ କୋଲକାତା ଯାଇଥିବା ସିବିଆଇ ଜାଣିବାକୁ ପାଇଛି। ତେଣୁ ଶୁଭ୍ରାଙ୍କୁ ସିବିଆଇ ଆଉଥରେ କୋଲକାତା ନେଇ ମାମଲାର ଅଧିକ ଖୋଳତାଡ଼ କରିବାକୁ ଯୋଜନା ରଖିଛି। ସୋମବାର ରାଜଧାନୀର ୩ ସ୍ଥାନରେ ସିବିଆଇ ଚଢଉ କରି ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ସେଥିରୁ କିଛି ଜାଲ୍‌ କାଗଜପତ୍ର ଥିବା ଜଣାପଡିଛି। ସିବିଆଇର ତଦନ୍ତ ସରିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ଶୁଭ୍ରାଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ରୋଜ ଭ୍ୟାଲି ଚିଟ୍‌ଫଣ୍ଡ୍‌ ସଂସ୍ଥା ୧୭ହଜାର ୫ଶହ କୋଟିର ଠକେଇ କରିଥିବାବେଳେ ଓଡ଼ିଶାରୁ ୫ଶହ କୋଟିରୁ ଊର୍ଦ୍ଧ୍ୱ ରହିଛି। ୨୦୧୩ ମସିହାରେ ଇଓଡବ୍ଲ୍ୟୁରେ ଅଭିଯୋଗ ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ ହୋଇଥିଲା। ବାଲେଶ୍ୱର ଓ ପୁରୀରେ ୧୭ ଏକର ଜମି, ୫୩ କୋଟି ଟଙ୍କାର ଜମା ଜବତ କରାଯିବା ସହ ସଂସ୍ଥାର ଚେୟାରମ୍ୟାନ୍‌ ଗୌତମଙ୍କ ସମେତ ୧୨ଜଣଙ୍କୁ ଗିରଫ କରିଥିଲା।

Share