ରୋଜ୍‌ ଭ୍ୟାଲି ଓଡ଼ିଶା ମୁଖ୍ୟ ଭୌମିକ ଗିରଫ

ଭୁବନେଶ୍ୱର(ବ୍ୟୁରୋ)/ ବାଲେଶ୍ୱର ଅଫିସ,୪।୮: ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ ସଂସ୍ଥାର ଓଡ଼ିଶା ମୁଖ୍ୟ ବିକ୍ରମଜିତ୍‌ ଭୌମିକଙ୍କୁ ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)ର ଏକ ଟିମ୍‌ ସୋମବାର ରାତିରେ ପଶ୍ଚିମବଙ୍ଗର ମିଦିନାପୁର ଅଞ୍ଚଳରୁ ଗିରଫ କରିଛି। ତାଙ୍କୁ କୋଲକାତାର ତାମ୍‌ଲୁକ ସିଜେଏମ୍‌ କୋର୍ଟରେ ହାଜର କରାଯିବାପରେ ସେଠାରୁ ଇଓଡବ୍ଲ୍ୟୁ ଟ୍ରାନଜିଟ୍‌ ରିମାଣ୍ଡରେ ଆଣି ମଙ୍ଗଳବାର ବାଲେଶ୍ୱର ଓପିଆଇଡି କୋର୍ଟରେ ହାଜର କରିଥିଲା। କୋର୍ଟରେ ତାଙ୍କ ଜାମିନ ଆବେଦନ ଖାରଜ ହୋଇଯିବାରୁ ତାଙ୍କୁ ୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଓପିଆଇଡି କୋର୍ଟର ସ୍ବତନ୍ତ୍ର ସରକାରୀ ଓକିଲ ସୁଲଳିତ କର ସୂଚନା ଦେଇଛନ୍ତି। ରୋଜ୍‌ଭ୍ୟାଲି ନାମରେ ଏକ ଚିଟ୍‌ ଫଣ୍ଡ ସଂସ୍ଥା ଜମାକାରୀଙ୍କୁ ଅଧିକ ଲାଭ ଦେବାର ଲୋଭ ଦେଖାଇ ଓଡ଼ିଶାରୁ ୬କୋଟିରୁ ଅଧିକ ଟଙ୍କା ଠକିଥିବା ନେଇ ୨୦୧୩ ମେ ୧୦ରେ ବାଲେଶ୍ୱର ଥାନାରେ ଅଭିଯୋଗ ହୋଇଥିଲା। ରୋଜ୍‌ଭ୍ୟାଲି ଓଡ଼ିଶା ମୁଖ୍ୟ ବିକ୍ରମଜିତ୍‌ ଭୌମିକଙ୍କ ସମେତ ବହୁ ଲୋକଙ୍କ ନାମରେ ଆଇପିସି ଦଫା ୪୨୦, ୧୨୦(ବି),/୩୪ ଏବଂ ପ୍ରାଇଜ୍‌ ଚିଟ୍ସ ଆଣ୍ଡ ମନି ସର୍କୁଲେଶନ ସ୍କିମ୍‌(ନିଷେଦ୍ଧ) ଆକ୍ଟ ଦଫା ୪, ୫, ୬ରେ ଏକ ମାମଲା (ନଂ. ୧୫/୨୦୧୩) ରୁଜୁ କରାଯାଇଥିଲା। ପରେ ଉକ୍ତ ମାମଲାର ତଦନ୍ତ ଭାର ୨୮।୫।୨୦୧୩ରେ ଭୁବନେଶ୍ୱର ଇଓଡବ୍ଲ୍ୟୁ ନେଇଥିଲା। ମାମଲାର ତଦନ୍ତ ସମୟରେ ପୂର୍ବରୁ ରୋଜ୍‌ଭ୍ୟାଲି ଚେୟାରମ୍ୟାନ୍‌ ଗୌତମ କୁଣ୍ଡୁ ଏବଂ ପରିଚାଳନା ସଦସ୍ୟ ଶିବମୟ ଦତ୍ତଙ୍କ ସମେତ ୩ଜଣ ଗିରଫ ହୋଇସାରିଥିବାବେଳେ ଭୌମିକ ଫେରାର ଥିଲେ। ତାଙ୍କୁ ଗିରଫ କରିବା ପାଇଁ ଇଓଡବ୍ଲ୍ୟୁ ବିଭିନ୍ନ ସ୍ଥାନରେ ଜାଲ ବିଛାଇଥିଲା। ଏନେଇ ଇଓଡବ୍ଲ୍ୟୁ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

Share