ଖ୍ରୀଷ୍ଟଚର୍ଚ୍ଚ,୧୧।୧: ଏଠାରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ବାଂଲାଦେଶକୁ ୩ ଦିନ ମଧ୍ୟରେ ଏକ ଇନିଂସ ଓ ୧୧୭ ରନ୍ରେ ହରାଇ ଦେଇଛି ନ୍ୟୁଜିଲାଣ୍ଡ। ଏଭଳି ଫଳାଫଳ ଯୋଗୁ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜ୍ ୧-୧ ବରାବର ସ୍ଥିତିରେ ଶେଷ ହୋଇଛି। ଏହି ମ୍ୟାଚ୍ରେ ଟେଷ୍ଟ କ୍ୟାରିୟରର ଶେଷ କରିଛନ୍ତି ପୂର୍ବତନ ନ୍ୟୁଜିଲାଣ୍ଡ ଅଧିନାୟକ ରସ ଟେଲର। ମ୍ୟାଚ୍ ଶେଷ ହେବା ପରେ ସାଥି ଖେଳାଳି, ବିରୋଧୀ ଓ ଦର୍ଶକଙ୍କ କରତାଳିରେ ଗ୍ରାଉଣ୍ଡରୁ ଚାଲି ଯାଇଥିଲେ।
ବିଜୟ ସହ କ୍ୟାରିୟର ଶେଷ କରିବା ବଡ଼ ସଫଳତା। ମୁଁ ବିଜୟ ସହ ବିଦାୟ ନେବାକୁ ଚାହୁଁଥିଲି। ଆଉ ଦଳୀୟ ଖେଳାଳିମାନେ ତାହା କରି ଦେଖାଇଲେ ବୋଲି ମ୍ୟାଚ୍ ପରେ ଟେଲର କହିଛନ୍ତି।
ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ଅଧିନାୟକ ଟମ୍ ଲଥାମ (୨୫୨)ଙ୍କ ଦ୍ୱିଶତକ ଓ ଡେଭନ କନଓ୍ବେ (୧୦୯)ଙ୍କ ଶତକ ବଳରେ ୫୨୧/୬ରେ ପାଳି ଘୋଷଣା କରିଥିଲା। ଜବାବରେ ବାଂଲାଦେଶ ୧୨୬ ରନ୍ରେ ଅଲଆଉଟ୍ ହେବାରୁ ଫଲୋ ଅନ୍ ଭୋଗିବାକୁ ପଡ଼ିଥିଲା। ଦ୍ୱିତୀୟ ଇନିଂସରେ ଲିଟନ ଦାସ (୧୦୨)ଙ୍କ ଶତକ ସତ୍ତ୍ୱେ ୨୭୮ ରନ୍ କରିବାକୁ ସକ୍ଷମ ହୋଇଥିଲା ଭ୍ରମଣକାରୀ ଦଳ।