Categories: ଖେଳ

ରସ୍‌ ଟେଲରଙ୍କୁ ଚାପୁଡ଼ା ମାରିଥିଲେ ରାଜସ୍ଥାନ ରୟାଲ୍ସ ମାଲିକ

ନୂଆଦିଲ୍ଳୀ,୧୪।୮: ନ୍ୟୁଜିଲାଣ୍ଡର ରସ୍‌ ଟେଲରଙ୍କ ବହିକୁ ନେଇ ଗୋଟିଏ ପରେ ଗୋଟିଏ ନୂଆ ବିବାଦ ଦେଖିବାକୁ ମିଳୁଛି। ପ୍ରଥମେ ନ୍ୟୁଜିଲାଣ୍ଡ କ୍ରିକେଟରେ ବର୍ଣ୍ଣବୈଷମ୍ୟବାଦ ନେଇ ନିଜ ଆତ୍ମଜୀବନୀରେ ଉଲ୍ଲେଖ କରିଥିବାବେଳେ ବର୍ତ୍ତମାନ ଆଉ ଏକ ବିବାଦ ସୃଷ୍ଟି କରିଛନ୍ତି। ୨୦୧୧ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ସମୟରେ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ବିପକ୍ଷରେ ‘୦’ରେ ଆଉଟ ହୋଇଥିଲେ। ଏହାପରେ ଫ୍ରାଞ୍ଚାଇଜ୍‌ର ଜଣେ ମାଲିକ ତାଙ୍କୁ ୩-୪ ଚାପୁଡ଼ା ମାରିଥିବା ସେ ନିଜ ବହିରେ ଲେଖିଛନ୍ତି। ଶୂନରେ ଆଉଟ ହେବା ପାଇଁ କ’ଣ କୋଟି କୋଟି ଟଙ୍କା ନେଉଛ ବୋଲି ମାଲିକ ଜଣଙ୍କ କହିଥିଲେ ବୋଲି ସେ ଉଲ୍ଲେଖ କରିଛନ୍ତି। ମୋହାଲିରେ ଏହି ମ୍ୟାଚ୍‌ ହୋଇଥିବା ବେଳେ ଚାପୁଡ଼ା ଘଟଣାଟି ଏକ ବାର୍‌ରେ ଘଟିଥିଲା। ସପୋର୍ଟ ଷ୍ଟାଫ୍‌ଙ୍କ ସହିତ ଶେନ୍‌ ଓ୍ବର୍ଣ୍ଣ ଓ ଲିଜ୍‌ ହର୍ଲି ମଧ୍ୟ ପାଖରେ ଉପସ୍ଥିତ ଥିଲେ। ଚାପୁଡ଼ାଟି ଆଘାତ ଦେଇ ନ ଥିଲେ ହେଁ ପ୍ରଫେସନାଲ ଖେଳରେ ଏମିତି ଘଟଣା ଘଟିବା ନିହାତି ଭାବରେ ଦୁର୍ଭାଗ୍ୟଜନକ ବୋଲି ସେ ନିଜ ବହିରେ ଲେଖିଛନ୍ତି।

Share