Advertisement

ଗଡ଼ିଲା ରାଉରକେଲା-ବାଦାମପାହାଡ଼ ଏକ୍ସପ୍ରେସ

ରାଉରକେଲା,୨୬ା୧୧(ବିପ୍ଳବରଞ୍ଜନ ଦାଶ): ରାଉରକେଲା ରେଳଷ୍ଟେଶନ ୫ନମ୍ବର ପ୍ଲାଟଫର୍ମରୁ ରବିବାର ରାଉରକେଲା-ବାଦାମପାହାଡ଼ ସାପ୍ତାହିକ ଏକ୍ସପ୍ରେସର ବିଧିବଦ୍ଧ ଚଳାଚଳ ଆରମ୍ଭ ହୋଇଛି। ଗତ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜ ଜିଲା ଗସ୍ତ କରି ବାଦାମପାହାଡ ରେଳଷ୍ଟେସନଠାରୁ ୩ଟି ନୂତନ ଟ୍ରେନ ଚଳାଚଳ ଶୁଭାରମ୍ଭ କରିଥିଲେ। ଏହି ୩ଟି ଟ୍ରେନ୍‌ ହେଉଛି ବାଦାମପାହାଡ଼-ଶାଲିମାର-ବାଦାମପାହାଡ଼ ଏକ୍ସପ୍ରେସ, ବାଦାମପାହାଡ଼ ଟାଟାନଗର ମେମୁ, ବାଦାମପାହାଡ଼-ରାଉରକେଲା-ବାଦାମପାହାଡ଼ ଏକ୍ସପ୍ରେସ।

ସେଥିମଧ୍ୟରୁ ବାଦାମପାହାଡ଼-ରାଉରକେଲା-ବାଦାମପାହାଡ଼ ଏକ୍ସପ୍ରେସ ରବିବାରଠାରୁ ଚଳାଚଳ ଆରମ୍ଭ କରିଛି। ଏହି ଟ୍ରେନ୍‌ ସକାଳ ୬ଟା ୩୦ରେ ବାଦାମପାହାଡ଼ ଛାଡ଼ି ରାଉରକେଲା ଅଭିମୁଖେ ଆସିଥିଲା। ସେହିପରି ଅପରାହ୍ନ ୨ଟା ୨୦ରେ ରାଉରକେଲା ଛାଡ଼ି ବାଦାମପାହାଡ଼ ଅଭିମୁଖେ ଯାଇଥିଲା। ସାପ୍ତାହିକ ବାଦାମପାହାଡ଼-ରାଉରକେଲା-ବାଦାମପାହାଡ ଏକ୍ସପ୍ରେସ ଟ୍ରେନ କେବଳ ରବିବାର ଦିନ ଚାଲିବ। ରାଉରକେଲା -ବାଦାମପାହାଡ଼ ମଧ୍ୟରେ ମନୋହରପୁର, ଗୋଏଲକେରା, ଚକ୍ରଧରପୁର, ରାଜଖରସୁଆଁ, ସିନି, ଟାଟାନଗର, ବହଲଦା ରୋଡ, ଅଁଳାଜୁରୀ, ରାଇରଙ୍ଗପୁର ଷ୍ଟେଶନରେ ଅଟକିବ।

ପ୍ରଥମ ଦିନରେ ରାଉରକେଲା ରେଳ ଷ୍ଟେସନଠାରୁ ରାଉରକେଲା ସମେତ ଜିଲାର ବିଭିନ୍ନ ଅଞ୍ଚଳ ଓ ଜିଲା ବାହାରୁ ବହୁଯାତ୍ରୀ ଏହି ଟ୍ରେନ୍‌ରେ ଯାତ୍ରା କରିଛନ୍ତି। ନୂତନ କରି ଏହି ଟ୍ରେନ ମୟୁରଭଞ୍ଜ ଜିଲା ସହ ସୁନ୍ଦରଗଡ଼ ଜିଲାକୁ ଯୋଡ଼ୁଛି। ସୁନ୍ଦରଗଡ଼ ସହ ମୟୁରଭଞ୍ଜ ଜିଲାର ରେଳଯାତ୍ରୀ ମହଲରେ ଖୁସି ପ୍ରକାଶ ପାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share