Categories: ଖେଳ

ରାଉରକେଲା, ଭଦ୍ରକ ବିଜୟୀ

ଭୁବନେଶ୍ୱର, ୪।୭, (ସରୋଜ ଜେନା): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଅନୁଷ୍ଠିତ ଆନ୍ତଃଜିଲ୍ଲା ମହିଳା କ୍ରିକେଟ ଟୁର୍ନାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟରେ ସୋମବାର ବିଜୟୀ ହୋଇଛନ୍ତି ରାଉରକେଲା ଓ ଭଦ୍ରକ। ରେଭେନ୍ସା ଗ୍ରାଉଣ୍ଡ-୧ରେ ଅନଷ୍ଠେିତ ପ୍ରଥମ ମ୍ୟାଚରେ ରାଉରକେଲା ୧୦ ଉଇକେଟରେ ପୁରୀକୁ ପରାସ୍ତ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପୁରୀ ୨୦ ଓଭରରେ ୫ ଉଇକେଟ ହରାଇ ମାତ୍ର ୩୮ ରନ୍‌ କରିଥିଲା। ଦଳପକ୍ଷରୁ ଜଣେ ବି ବ୍ୟାଟର ଦୁଇ ଅଙ୍କ ଛୁଇଁ ନ ଥିବା ବେଳେ ଚିରଶ୍ରୀ ରାଉତ ସର୍ବାଧିକ ୮ ରନ୍‌ ସ୍କୋର କରିଥିଲେ। ରାଉରକେଲା ପକ୍ଷରୁ ଲେଖା ଲୟଲକା ଘାତକ ବୋଲିଂ କରି ମାତ୍ର ୩ ରନ୍‌ ବ୍ୟୟରେ ୪ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ରାଉରକେଲା ବିନା କ୍ଷତିରେ ୫ ଓଭରରେ ୩୯ ରନ୍‌ କରି ବିଜୟୀ ହୋଇଥିଲା। ରଞ୍ଜିତା ରଣସିଂ ଅପରାଜିତ ୨୩ ରନ୍‌ କରିଥିବା ବେଳେ ନିଧି ସିଂ ଅପରାଜିତ ୯ ରନ୍‌ କରିଥିଲେ। ରେଭେନ୍ସା ଗ୍ରାଉଣ୍ଡ-୨ରେ ଅନଷ୍ଠିତ ଦ୍ୱିତୀୟ ମ୍ୟାଚରେ ଭଦ୍ରକ ୧୦ ଉଇକେଟରେ ନବରଙ୍ଗପୁରକୁ ପରାସ୍ତ କରିଛି। ନବରଙ୍ଗପୁର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ଉଇକେଟ ହରାଇ ୩୬ ରନ୍‌ ସ୍କୋର କରିଥିଲା। ଅନନ୍ୟା ରାଉତ, ପୂଜା ଦାସ ଓ ଗାୟତ୍ରୀ ମହାନ୍ତି ପ୍ରତ୍ୟେକ ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ଜବାବରେ ପୂଜା ଦାସ ଓ ଭାଗ୍ୟଶ୍ରୀ ରାଉତଙ୍କ ଅପରାଜିତ ୧୬ ରନ୍‌ ବଳରେ ବିନା ଉଇକେଟରେ ମ୍ୟାଚ୍‌ ଜିତି ନେଇଥିଲା ଭଦ୍ରକ।

Share