ମିସ୍‌ କୁଇନ୍‌ ଅଫ୍‌ ଏସିଆ ଟାଇଟଲ ଜିତିଲେ ରାଉରକେଲା ଝିଅ

ରାଉରକେଲା ଅଫିସ,୧୩।୨:ଏସିଆ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇ ରାଉରକେଲା ସେକ୍ଟର-୪ ଅଞ୍ଚଳର ଡି. ପୂଜା ମିସ୍‌ କୁଇନ ଅଫ୍‌ ଏସିଆ ଟାଇଟଲ ଜିତି ସୁନ୍ଦରଗଡ ଜିଲା ତଥା ରାଉରକେଲା ପାଇଁ ଗୌରବ ଆଣିଛନ୍ତି। ଗତ ୩ତାରିଖରେ ବମ୍ବେ ଅନ୍ଧେରୀ ଇଷ୍ଟରେ ମିସ୍‌ କୁଇନ ଅଫ୍‌ ଏସିଆ ଟାଇଟଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ପୂଜା ଅନ୍‌ଲାଇନ ମାଧ୍ୟମରେ ଆବେଦନ କରି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାର ସୁଯୋଗ ପାଇଥିଲେ। ପ୍ରତିଯୋଗିତାରେ ଏସିଆର ବିଭିନ୍ନ ଦେଶରୁ ୪୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପୂଜା ପ୍ରଥମ ରାଉଣ୍ଡରେ ୪୦, ଦ୍ୱିତୀୟ ରାଉଣ୍ଡରେ ୨୦ ଏବଂ ଶେଷ ରାଉଣ୍ଡରେ ୩ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ଟାଇଟଲ ହାସଲ କରିଛନ୍ତି। ପୂଜା ତାଙ୍କର ସୌନ୍ଦର୍ଯ୍ୟ ଓ ବୁଦ୍ଧିମତାର ଦକ୍ଷତା ଦେଖାଇ ଏହି ଟାଇଟଲ ଅର୍ଜନ କରିଥିଲେ। ଏହା ପୂର୍ବରୁ ସେ ଭୁବନେଶ୍ୱରରେ ଆୟୋଜିତ ମିସ୍‌ ଭୁବନେଶ୍ୱର, ମିସ୍‌ ପଶ୍ଚିମାଞ୍ଚଳ, ଗ୍ଲୋରି ଅଫ୍‌ ଇଣ୍ଡିଆ, ଗ୍ଲୋରି ଅଫ୍‌ ଚାର୍ମିଙ୍ଗ, ମିସ୍‌ କଳିଙ୍ଗ ଟାଇଟଲ ଜିତିଥିଲେ। ପୂଜା ସେକ୍ଟର-୧୪ ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲର ଏକାଦଶ ଶ୍ରେଣୀର ବାଣିଜ୍ୟ ଛାତ୍ରୀ ଅଟନ୍ତି। ସେ ତାଙ୍କର ଏହି ସଫଳତାର ଶ୍ରେୟ ଗୁରୁଶ୍ରୀ ଲିନା ବିଶ୍ୱାଳ, ପରିବାର ଓ ସ୍କୁଲ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କୁ ଦେଇଛନ୍ତି। ଏ ନେଇ ଡି. ପୂଜାଙ୍କୁ ପଚାରିବାରୁ ସେ କହିଥିଲେ, ପିଲାବେଳୁ ଓଡିଶୀ ନୃତ୍ୟ ଶିଖୁଥିଲି। ୩ ବର୍ଷ ତଳେ ମୁ ଏହି ଲାଇନକୁ ଆସି ମଡେଲିଂ ଶିକ୍ଷା ଆରମ୍ଭ କଲି। କୌଣସି କ୍ଷେତ୍ରରେ ସଫଳତା ପାଇବାକୁ ହେଲେ ନିଷ୍ଠାର ସହ କଠୋର ପରିଶ୍ରମ କଲେ ନିଶ୍ଚିତ ସଫଳ ମିଳିବ ବୋଲି ସେ କହିଥିଲେ।