Advertisement

ଛଟ୍‌ ପାଇଁ ସଜେଇ ହେଉଛି ରାଉରକେଲା

ରାଉରକେଲା,୧୮।୧୧(ସଙ୍ଗୀତା ଜେନା): ଛଟ୍‌ ପର୍ବ ପାଳନ ପାଇଁ ରାଉରକେଲାରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପର୍ବ ୪ଦିନ ବ୍ୟାପୀ ପାଳନ କରାଯିବ। ଏ ନେଇ ରାଉରକେଲା ଇସ୍ପାତ କାରଖାନା, ରାଉରକେଲା ମହାନଗର ନିଗମ, ବିଭିନ୍ନ ସାମାଜିକ ଓ ଧାର୍ମିକ ସଙ୍ଗଠନ ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଛି। ଏହି ପର୍ବ ପାଇଁ କୋଏଲ ନଦୀ ଓ ବିଭିନ୍ନ ଜଳାଶୟରେ ବ୍ୟାପକ ଆୟୋଜନ କରାଯାଉଛି।

ସ୍ମାର୍ଟସିଟି ଓ ଆଖପାଖ ରେଳବାଇ କଲୋନୀ, ହୋଟେଲ ସନ୍ତୋଷ ଘାଟ, ହାଡ଼ପକା ଘାଟ, ପାଢ଼ୀ ଘାଟ ପାନପୋଷ, ବାଲୁଘାଟ, ରୂପଟୋଲା, ହନୁମାନଘାଟ, ଝିରପାଣି ଘାଟ, ବନ୍ଧମୁଣ୍ଡା ବି ସେକ୍ଟର ଘାଟ, ତିଲକାନଗର ଘାଟ, କୋଏଲାଗେଟ୍‌ ଘାଟ, ଜିତେନ୍ଦ୍ର ମଣ୍ଡଳ ଘାଟ, ତରକେରା ପମ୍ପହାଉସ୍‌ ଘାଟ, ବଡକାନୀ ଘାଟ, ସେକ୍ଟର-୧୬ ଘାଟରେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି।

ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ପକ୍ଷରୁ ସେକ୍ଟର-୧୬ କୋଏଲ ନଦୀ ଘାଟରେ ଇସ୍ପାତ କଲେଜଠାରୁ ଆରମ୍ଭ କରି ନଦୀ ଘାଟ ପର୍ଯ୍ୟନ୍ତ ସଡ଼କ ନିର୍ମାଣ, ମରାମତି, ଆଲୋକ ବ୍ୟବସ୍ଥା, ସଫେଇ, ଗହଳିକୁ ଦୃଷ୍ଟିରେ ରଖି ଏକାଧିକ ରାସ୍ତା ନିର୍ମାଣ, ନଦୀକୂଳରେ ବ୍ରତୀଙ୍କ ପାଇଁ ଅସ୍ଥାୟୀ ଚେଞ୍ଜିଂ ରୁମ୍‌, ନିୟନ୍ତ୍ରଣ କକ୍ଷ ଆଦି ନିର୍ମାଣ କରାଯାଇଛି। ସେହିପରି ଆର୍‌ଏମ୍‌ସି ପକ୍ଷରୁ ବନ୍ଧମୁଣ୍ଡା ଓ ଅନ୍ୟାନ୍ୟ ଘାଟରେ ଯୁଦ୍ଧକାଳୀନ ଭିତ୍ତିରେ କାମ ଜାରି ରହିଛି। ଝିରପାଣି ସ୍ଥିତ ଆଦିତ୍ୟଘାଟରେ ହିନ୍ଦୁ ଜାଗରଣ ମଞ୍ଚ ନେତୃତ୍ୱରେ ପର୍ବ ଆୟୋଜନ କରାଯାଉଛି। ରାଉରକେଲାର ବିହାର ସାଂସ୍କୃତିକ ପରିଷଦ, ବିହାର ଯୁବା ମଞ୍ଚ ସମେତ ୨୦ରୁ ଊର୍ଦ୍ଧ୍ୱ ସାମାଜିକ ସଙ୍ଗଠନର କର୍ମକର୍ତ୍ତା ଏଥିରେ ସାମିଲ ହୋଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share