ବିଶ୍ୱର ୫୦ ସହର ମଧ୍ୟରେ ରାଉରକେଲା

ରାଉରକେଲା ଅଫିସ, ୧୭ା୬: ‘ବ୍ଲୁମବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ’ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ରାଉରକେଲା ସହର ଚୂଡ଼ାନ୍ତ ପର୍ଯ୍ୟାୟକୁ ମନୋନୀତ ହୋଇଛି। ଫଳରେ ଏହି କାର୍ଯ୍ୟକ୍ରମ ଅଧୀନରେ ବିଶ୍ୱର ୫୦ଟି ପ୍ରମୁଖ ସହର ମଧ୍ୟରେ ରାଉରକେଲା ସ୍ଥାନ ପାଇଛି। କୋଭିଡ୍‌ ମହାମାରୀ ଭଳି ଏକ ଜଟିଳ ସମୟରେ ଅର୍ଥନୈତିକ ପୁନରୁଦ୍ଧାର ଏବଂ ସାମଗ୍ରିକ ଅଭିବୃଦ୍ଧି, ସ୍ବାସ୍ଥ୍ୟ ଏବଂ ଜନକଲ୍ୟାଣ, ଜଳବାୟୁ ଓ ପରିବେଶ, ଉତ୍ତମ ଶାସନ ଓ ସମାନତା ଆଦି ବିଷୟକୁ ଆଧାର କରି ଆସିଥିବା ୬୩୦ଟି ପ୍ରସ୍ତାବକୁ ନେଇ ଏହି ପ୍ରତିଯୋଗିତା କରାଯାଇଥିଲା। ସେଥିମଧ୍ୟରୁ ଅଭିନବ ତଥା ଉଦ୍ଭାବନଶୀଳ ପ୍ରକଳ୍ପ ପ୍ରସ୍ତାବ ଲାଗି ରାଉରକେଲା, ପୁଣେ ସମେତ ୫୦ଟି ସହର ଫାଇନାଲିଷ୍ଟ ହୋଇପାରିଛନ୍ତି। ରାଉରକେଲା ସହରରେ ସୌରଚାଳିତ ତଥା ଚଳମାନ ଶୀତଳଭଣ୍ଡାର ବ୍ୟବସ୍ଥା କରି ଲୋକଙ୍କ ଘର ପାଖରେ ତାଜା ପନିପରିବା ଓ ଫଳ ଆଦି ପହଞ୍ଚାଇବା ଏହି ପ୍ରକଳ୍ପର ମୂଳ ଲକ୍ଷ୍ୟ। ଏହା ମାଧ୍ୟମରେ ଚାଷୀ, କ୍ଷୁଦ୍ର ବ୍ୟବସାୟୀଙ୍କ ସହିତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କର ଜୀବିକା ଓ ଆର୍ଥିକ ବିକାଶ ହୋଇପାରିବ। ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତାରେ ରାଉରକେଲା ଉତ୍ତୀର୍ଣ୍ଣ ହୋଇ ୧୫ଟି ଶ୍ରେଷ୍ଠ ସହର ତାଲିକାରେ ସ୍ଥାନ ପାଇବ ବୋଲି ବୁଧବାର ଏକ ଖବରଦାତା ସମ୍ମିଳନୀ କରି ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ଆଶାବ୍ୟକ୍ତ କରିଛନ୍ତି।

Share