ରାଉରକେଲା ପ୍ରଦୂଷଣ ହକି ପାଇଁ ବାଧା

ଭୁବନେଶ୍ୱର,୨୨/୪(ବ୍ୟୁରୋ):୨୦୨୩ ଜାନୁୟାରୀରେ ଓଡ଼ିଶାରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍‌ ଆଗରେ ପ୍ରଦୂଷଣ ବାଧକ ସାଜିଛି। ଭୁବନେଶ୍ୱର ଓ ରାଉରକେଲାରେ ହକି ବିଶ୍ୱକପ୍‌ର ସମସ୍ତ ମ୍ୟାଚ ଖେଳାଯିବ। ଏଥିରେ ୧୬ଟି ଦେଶ ଭାଗ ନେବାକୁ ଯାଉଛନ୍ତି। ଏଥିପାଇଁ ସରକାର ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି। ରାଉରକେଲାରେ ଦେଶର ସର୍ବବୃହତ୍‌ ହକି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ମଧ୍ୟ ଜୋରସୋରରେ ଆଗେଇ ଚାଲିଛି। ତେବେ ଆଇଆଇଟି ଭୁବନେଶ୍ୱର ଏବଂ ପୁଣେସ୍ଥିତ ଅଟୋମୋଟିଭ୍‌ ରିସର୍ଚ୍ଚ ଆସୋସିଏଶନ ଅଫ୍‌ ଇଣ୍ଡିଆ(ଏଆର୍‌ଏଆଇ)ର ରାଉରକେଲାର ବାୟୁ ପ୍ରଦୂଷଣ ଅଧ୍ୟୟନ ରିପୋର୍ଟ ଚିନ୍ତାଜନକ ବୋଲି କୁହାଯାଉଛି। ସହରରେ ବାୟୁର ମାନ ଅତି ଖରାପ ସ୍ତରରେ ଥିବାରୁ ତାହା ବିଦେଶୀ ଖେଳାଳିଙ୍କ ଦକ୍ଷତାକୁ ପ୍ରଭାବ ପକାଇପାରେ।
ଓଡ଼ିଶାର ୭ ଅତି ପ୍ରଦୂଷିତ ସହର ତାଲିକାରେ ରାଉରକେଲା ରହିଛି, ଯାହାକୁ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ ମଧ୍ୟ ଚିନ୍ତାପ୍ରକଟ କରିଛନ୍ତି। ନ୍ୟାଶନାଲ ଆମ୍ବିଏଣ୍ଟ ଏୟାର କ୍ୱାଲିଟି ଷ୍ଟାଣ୍ଡାର୍ଡ ଅନୁଯାୟୀ ସହରର ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ଶୂନରୁ ୫୦ ମଧ୍ୟରେ ରହିଲେ ତାହା ସ୍ବାସ୍ଥ୍ୟ ଉପଯୋଗୀ ହୋଇଥାଏ। ତେବେ ରାଉରକେଲାରେ ଏକ୍ୟୁଆଇ ଏବେ ୧୩୦ରୁ ୧୫୦ ମଧ୍ୟରେ ରହୁଛି। ଗତ ମାର୍ଚ୍ଚ ୩୦ରେ ରାଉରକେଲା ବନଖଣ୍ଡର ଦୁର୍ଗାପୁର ଜଙ୍ଗଲରେ ନିଆଁ ଲାଗିଥିଲା। ଫଳରେ ସମଗ୍ର ରାଉରକେଲା ଧୂଅଁାମୟ ହୋଇଯାଇଥିଲା। ସେତେବେଳେ ସହରର ଏକ୍ୟୁଆଇ ୨୦୦କୁ ଟପି ଯାଇଥିଲା। କେବଳ ସେତିକି ନୁହେଁ, ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ ଏବଂ ଅନ୍ୟାନ୍ୟ ଶିଳ୍ପାନୁଷ୍ଠାନରୁ ବାହାରୁଥିବା ଧୂଆଁ, ଜଙ୍ଗଲ ନିଆଁ, ରାସ୍ତାଘାଟ ନିର୍ମାଣ, ବର୍ଜ୍ୟବସ୍ତୁ ପରିଚାଳନାରେ ଅବ୍ୟବସ୍ଥା ବିଶ୍ୱକପ୍‌ ପାଇଁ ସମସ୍ୟା ହୋଇ ଛିଡ଼ା ହୋଇଛି। ଶିଳ୍ପଗୁଡ଼ିକର ବର୍ଜ୍ୟବସ୍ତୁକୁ ଠିକ୍‌ ଢଙ୍ଗରେ ପରିଚାଳନା କରାଯାଉ ନ ଥିବାରୁ ସହର ପ୍ରଦୂଷଣ ବିପଜ୍ଜନକ ସ୍ଥିତିରେ ରହୁଛି। ବିଶ୍ୱକପ୍‌ ପୂର୍ବରୁ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣକୁ ଆଣିବା ସକାଶେ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି), ରାଉରକେଲା ମ୍ୟୁନିସିପାଲିଟି କମିଶନର, ସୁନ୍ଦରଗଡ଼, ଅନୁଗୋଳ, ଢେଙ୍କାନାଳ, ଝାରସୁଗୁଡ଼ା, ସମ୍ବଲପୁର ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Share