ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ ଗ୍ୟାସ୍‌ ଲିକ୍‌: ଆଉ ଜଣେ ଅଧିକାରୀ ନିଲମ୍ବିତ

ରାଉରକେଲା ଅଫିସ, ୭।୧: ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ (ଆର୍‌ଏସ୍‌ପି) ଗ୍ୟାସ୍‌ ଦୁର୍ଘଟଣା ନେଇ ଗୁରୁବାର ଆଉ ଜଣେ ଆର୍‌ଏସ୍‌ପି ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ସେ ହେଉଛନ୍ତି କାରଖାନା ସୁରକ୍ଷା ବିଭାଗ ଅଧିକାରୀ ସ୍ମୃତିରଞ୍ଜନ ସାହୁ। ବୁଧବାର ଏହି ଘଟଣାରେ କର୍ତ୍ତବ୍ୟରେ ଅବହେଳା କରିଥିବା ୨ ବିଭାଗୀୟ ଅଧିକାରୀ ଡିଜିଏମ୍‌ ଗୋପବନ୍ଧୁ ବାରିକ ଓ ନଭେନ୍ଦୁ ଦାସଙ୍କୁ କାରଖାନା କର୍ତ୍ତୃପକ୍ଷ ନିଲମ୍ବିତ କରିଥିଲେ।
ଆର୍‌ଏସ୍‌ପି ପକ୍ଷରୁ ୩ ଜଣିଆ ତଦନ୍ତକାରୀ ଟିମ୍‌ ଦୁର୍ଘଟଣାର ତଦନ୍ତ ଦାୟିତ୍ୱ ବହନ କରିଛି। ଫ୍ୟାକ୍ଟ୍ରି ଆଣ୍ଡ ବୟଲର୍ସ ବିଭାଗ ପକ୍ଷରୁ ମଧ୍ୟ ତଦନ୍ତ ଆରମ୍ଭ କରାଯାଇଛି। ଆବଶ୍ୟକ ହେଲେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବିଭାଗୀୟ ଉପନିର୍ଦ୍ଦେଶକ ବିଭୁପ୍ରସାଦ। ଅପରପକ୍ଷେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ରାଉରକେଲା ବିଧାୟକ ସାରଦା ନାୟକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ଗୁରୁବାର ଦଳ ପକ୍ଷରୁ ରାଉରକେଲାରେ ଶୋଭାଯାତ୍ରା କରାଯାଇଥିଲା। ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରା ଯାଇ ସୁନ୍ଦରଗଡ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ଆର୍‌ଏସ୍‌ପି କର୍ତ୍ତୃପକ୍ଷଙ୍କ ବେପରୁଆ ମନୋଭାବ ଯୋଗୁ ବାରମ୍ବାର ଦୁର୍ଘଟଣା ଘଟୁଛି ବୋଲି ବିଧାୟକ ନାୟକ ଅଭିଯୋଗ କରିଛନ୍ତି।

Share