ରାଉରକେଲାରେ ହେବ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ: ସ୍ଥାନ ପରିଦର୍ଶନ କଲେ ପ୍ରଶାସନିକ ଅଧିକାରୀ

ଭୁବନେଶ୍ୱର,୧୯।୧(ବ୍ୟୁରେ): ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫ଟି ସଚିବ ଭି.କେ.ପାଣ୍ଡିଆନ, କ୍ରୀଡ଼ା ଓ ଯୁବ ସେବା ବିଭାଗର ସ୍ବତନ୍ତ୍ର ସଚିବ ଆର୍‌ ଭିନିଲ କ୍ରିଷ୍ଣା ମଙ୍ଗଳବାର ରାଉରକେଲା ଗସ୍ତରେ ଯାଇ ବିପିୟୁଟି ପରିସରରେ ନିର୍ମାଣ ହେବାକୁ ଥିବା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ ସ୍ଥାନ ପରିଦର୍ଶନ କରିଥିଲେ। ଷ୍ଟାଡିୟମ ନିର୍ମାଣ କାମ ୨୦୨୨ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି।
ସୂଚନା ଯୋଗ୍ୟ, ରାଉରକେଲାରେ ଏକ ଆନ୍ତର୍ଜାତୀୟ ହକି ଷ୍ଟାଡିୟମ ନିର୍ମାଣ କରାଯିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଏହି ଷ୍ଟାଡିୟମ ଜାନୁୟାରୀ ୨୦୨୩ରେ ଓଡ଼ିଶାରେ ହେବାକୁ ଥିବା ୨୦୨୩ ପୁରୁଷ ହକି ବିଶ୍ୱକପର ଆୟୋଜନ ସ୍ଥଳ ହେବା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ଦେଶର ସର୍ବ ବୃହତ ହକି ଷ୍ଟାଡିୟମ ହେବ। ଷ୍ଟାଡିୟମରେ ଏକା ସାଙ୍ଗରେ ୨୦ ହଜାର ଦର୍ଶକ ବସି ଖେଳ ଉପଭୋଗ କରି ପାରିବେ। ବିପିୟୁଟି ପରିସରରେ ହେବାକୁ ଥିବା ଏହି ପ୍ରସ୍ତାବିତ ଷ୍ଟାଡିୟମ ଉଭୟ ଖେଳାଳି ଓ ଦର୍ଶକଙ୍କୁ ଯେପରି ବିଶ୍ୱସ୍ତରୀୟ ଅନୁଭୁତି ପ୍ରଦାନ କରିପାରିବ, ତାହାକୁ ଦୃଷ୍ଟିରେ ରଖି ଡିଜାଇନ ପ୍ରସ୍ତୁତ କରାଯାଉଛି।

Share