ଆଣ୍ଟାର୍କଟିକା ଯିବେ ରାଉରକେଲା ଝିଅ ନିବେଦିତା

ରାଉରକେଲା ଅଫିସ,୪।୧୨: ଜଳବାୟୁ ପରିବର୍ତ୍ତନ ଉପରେ ଗବେଷଣା ପାଇଁ ଆଣ୍ଟାର୍କଟିକା ଯିବେ ରାଉରକେଲା ଝିଅ ନିବେଦିତା ବିଶ୍ୱାଳ। ଗ୍ଲେସିୟର ତରଳିବା ବିଶ୍ୱବାସୀଙ୍କ ପାଇଁ କେତେ ବିପଦପୂର୍ଣ୍ଣ ତାହା ଉପରେ ପ୍ରଶିକ୍ଷଣ ନେବା ସହ ସେଠାକାର ଜୀବଜନ୍ତୁ ଓ ପରିବେଶ ଉପରେ ସେ ଗବେଷଣା କରିବେ। ରାଉରକେଲା ଶକ୍ତି ନଗରର ବ୍ରଜସୁନ୍ଦର ବିଶ୍ୱାଳ ଓ କବିତାଙ୍କ ଝିଅ ନିବେଦିତା ଏହି ସଫଳତା ହାସଲ ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିଚାଲିଛି। ନିବେଦିତା ରାଉରକେଲା କାର୍ମେଲ ସ୍କୁଲରୁ ପାଠପଢ଼ା ଆରମ୍ଭ କରି ଭୁବନେଶ୍ୱରରେ ବିଟେକ୍‌ ଓ ରାଉରକେଲା ଏନ୍‌ଆଇଟିରୁ ଏମ୍‌ବିଏ ସାରି ସମ୍ବଲପୁର ଏମ୍‌ସିଏଲ୍‌ରେ କାମ କରୁଛନ୍ତି। ଚାକିରି କରୁଥିଲେ ମଧ୍ୟ ଜଳବାୟୁ ପରିବର୍ତ୍ତନ ଉପରେ ଗବେଷଣା କରିବା ତାଙ୍କର ଲକ୍ଷ୍ୟ ଥିଲା ବୋଲି ସେ କହିଛନ୍ତି। ଏହି ପ୍ରକ୍ରିୟା ପାଇଁ ସାରା ବିଶ୍ୱରୁ ୯୦ ଜଣଙ୍କୁ ଚୟନ କରାଯାଇଛି। ଯେଉଁଥିରେ ଏକମାତ୍ର ଭାରତୀୟ ଭାବେ ନିବେଦିତା ଅଂଶଗ୍ରହଣ କରିବେ। ଏଥିପାଇଁ ୬୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ତେଣୁ ସହାୟତା ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ବିଟ ଯୋଗେ ନିବେଦନ କରିଛନ୍ତି।

Share