ନୂଆଦିଲ୍ଲୀ,୮।୫: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆଙ୍କ ଅଡୁଆ ବଢିବାରେ ଲାଗିଛି। ତେବେ ସୋମବାର ଦିଲ୍ଲୀର ରୌଜ ଏଭିନ୍ୟୁ କୋର୍ଟ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ମେ’ ୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହା ସହିତ କୋର୍ଟ ମନୀଷ ସିସୋଡିଆଙ୍କ ଚାର୍ଜଶିଟର ଏକ ଇ-କପି ଦେବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ କହିଛନ୍ତି।
ସୂଚନାଯୋଗ୍ୟ, ମଦ ଦୁର୍ନୀତି ମାମଲାରେ ଇଡିର ନ୍ୟାୟିକ ହେପାଜତ ଶେଷ ହେବା ପରେ ମନୀଷ ସିସୋଡିଆଙ୍କୁ ରୌଜ ଏଭିନ୍ୟୁ କୋର୍ଟରେ ହାଜର କରାଯାଇଥିଲା। ମନୀଷ ସିସୋଡିଆଙ୍କୁ ପ୍ରଥମେ ମଦ ଦୁର୍ନୀତିରେ ସିବିଆଇ ଗିରଫ କରିଥିବା ବେଳେ ପରେ ଇଡି ମଧ୍ୟ ତାଙ୍କୁ ଗିରଫ କରିଥିଲା। ସେ ଫେବୃୟାରୀ ୨୩ରୁ ଦିଲ୍ଲୀର ତିହାର ଜେଲରେ ରହିଛନ୍ତି। ଏଥିସହିତ ମନୀଷ ସିସୋଡିଆଙ୍କ ବିରୋଧରେ ଦାଖଲ ହୋଇଥିବା ସପ୍ଲିମେଣ୍ଟାରୀ ଚାର୍ଜଶିଟର ସୂଚନା ଗ୍ରହଣ କରି ଶୁଣାଣି ମେ’ ୧୦ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।