Categories: ଜାତୀୟ

ବ୍ରିଜ୍‌ଭୂଷଣଙ୍କୁ ଆଶ୍ୱସ୍ତି: ମିଳିଲା ଜାମିନ

ନୂଆଦିଲ୍ଲୀ,୨୦।୭: ମହିଳା କୁସ୍ତିଯୋଦ୍ଧାଙ୍କୁ ନିର୍ଯାତନା ମାମଲାରେ ଭାଜପା ଏମ୍‌ପି ବ୍ରିଜଭୂଷଣ ଶରଣ ସିଂଙ୍କୁ ଆଶ୍ୱସ୍ତି ମିଳିଛି। ତାଙ୍କୁ ୨୫,୦୦୦ ଟଙ୍କା ବ୍ୟକ୍ତିଗତ ବଣ୍ଡରେ ଜାମିନ ମିଳିଛି। ଜାମିନ ପ୍ରଦାନ ବେଳେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ସର୍ତ୍ତ ରଖିଛନ୍ତି ଯେ, ବ୍ରିଜ ଭୂଷଣ ସୂଚନା ନ ଦେଇ ଦେଶ ବାହାରକୁ ଯିବେ ନାହିଁ, ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ। ବ୍ରିଜଭୂଷଣଙ୍କ ସହ କୁସ୍ତି ମହାସଂଘର ସହାୟକ ବିନୋଦ ତୋମର ସିଂଙ୍କୁ ଜାମିନ ମିଳିଛି।
ସୂଚନାଯୋଗ୍ୟ, ଗତ ଜୁଲାଇ ୧୮ରେ ବ୍ରିଜଭୂଷଣ ସିଂ ଏବଂ ବିନୋଦ ତୋମାରଙ୍କୁ କୋର୍ଟ ପକ୍ଷରୁ ଜୁଲାଇ ୨୦ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଇଥିଲା।
୬ଥର ଏମ୍‌ପି ଥିବା ବ୍ରିଜ୍‌ ଭୂଷଣଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଆଇପିସି ରା ୩୫୪, ୩୫୪ଏ, ୩୫୪ଡି, ୫୦୬ ଆଧାରରେମାମଲା ରୁଜୁ କରିଛି। ସେହିପରି ତୋମାରଙ୍କ ବିରୋଧରେ ଆଇପିସି ୧୦୯, ୩୫୪, ୩୫୪ଏ, ୫୦୬ ଆଧରରେ ମାମଲା ରୁଜୁ ହୋଇଛି।
ସୂଚନାଯୋଗ୍ୟ, ବଜରଙ୍ଗ ପୁନିଆ, ବିନେଶ ଫୋଗଟ, ସାକ୍ଷୀ ମଲିକଙ୍କ ପରି ପ୍ରମୁଖ ଖେଳାଳିମାନେ ବ୍ରିଜ୍‌ଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଥିଲେ। ସେ ନାବାଳିକା କୁସ୍ତିଯୋଦ୍ଧାଙ୍କୁ ଯୌନ ଶୋଷଣ କରୁଥିବା ଅଭିଯୋଗ ଆଣିଥିଲେ। ତାଙ୍କୁ ଗିରଫ ନ କରିବା ଯାଏ ପ୍ରଦର୍ଶନ ଜାରି ରଖିବେ ବୋଲି କହିଥିଲେ।

Share