କଂଗ୍ରେସରୁ ଲଢ଼ିବେନି ସୁର ରାଉତରାୟଙ୍କ ପୁଅ

ଭୁବନେଶ୍ୱର,୭ା୯(ଅନିଲ ଦାସ)କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ କଂଗ୍ରେସରୁ ଲଢ଼ିବେ ନାହିଁି। ୨୦୨୪ରେ ସେ କଂଗ୍ରେସ ନୁହେଁ ବରଂ ଅନ୍ୟ କେଉଁ ଦଳରୁ ଲଢ଼ିବେ ବୋଲି ସ୍ପଷ୍ଟ କରିଛନ୍ତି। ସଫଳ ହେଉ କି ବିଫଳ, ଅନ୍ୟ ଦଳରୁ ଲଢ଼ିବି ବୋଲି ମନ୍ମଥ କହିଛନ୍ତି। ସେ କହିଛନ୍ତି, ମୁଁ କେବେ ବି କହିନାହିଁ କଂଗ୍ରେସରୁ ଲଢ଼ିବା ପାଇଁ। ବାପା ଯାହା କହିଛନ୍ତି ତାହା ତାଙ୍କ ନିଜସ୍ବ ମତ। ଜଟଣୀ ଛଡ଼ା ଆଉ କେଉଁ ଆସନରୁ ଲଢ଼ିବି ନାହିଁ। କେଉଁ ଦଳରୁ ଲଢ଼ିବି ସେନେଇ ଆସନ୍ତା ଅକ୍ଟୋବରରେ ଜଣାଇବି। ପୁଅଙ୍କ ସ୍ପଷ୍ଟୋକ୍ତି ପରେ ପ୍ରତିକ୍ରିୟା ରଖି ସୁର କହିଛନ୍ତି, ମୁଁ ମନ୍ମଥକୁ ବୁଝାଇବି। ୨୦୨୪ରେ ସେ କଂଗ୍ରେସ ଟିକେଟରେ ଜଟଣୀ ଆସନରୁ ନିର୍ବାଚନ ଲଢ଼ିବ। ମୁଁ ନିଜେ ଖୋର୍ଦ୍ଧା ଜିଲାରେ ଟିକେଟ ବାଣ୍ଟିବି ବୋଲି ସୁର କହିଛନ୍ତି। ବାପା ପୁରୁଖା କଂଗ୍ରେସ ନେତା ହୋଇଥିବା ବେଳେ ପୁଅ ଅନ୍ୟ ଦଳରୁ ନିର୍ବାଚନ ଲଢ଼ିବା କଥା କହିବା କଂଗ୍ରେସ ରାଜନୀତିକୁ ସରଗରମ କରିଛି।

Share