ବୀମା ଟଙ୍କା ପାଇଁ ରାତି ୩ଟାରୁ ଧାଡ଼ି

ଝାରସୁଗୁଡ଼ା ଅଫିସ୍‌,୧୨।୭:ଝାରସୁଗୁଡ଼ା ଜିଲା ଲଇକେରା ବ୍ଲକରେ ଥିବା ସମ୍ବଲପୁର ଜିଲା କେନ୍ଦ୍ରୀୟ ସମବାୟ (ଏସ୍‌ଡିସିସି) ବ୍ୟାଙ୍କରୁ ଫସଲ ବୀମା ଟଙ୍କା ପାଇବା ପାଇଁ ଚାଷୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବ୍ୟାଙ୍କରେ ଗୋଟିଏ ମାତ୍ର କାଉଣ୍ଟର ଥିବାରୁ ଲୋକଙ୍କୁ ଟଙ୍କା ପ୍ରଦାନ କରିବାରେ ବିଳମ୍ବ ହେଉଛି। ଘଣ୍ଟା ଘଣ୍ଟା ଧରି ଚାଷୀ ମାନେ ବ୍ୟାଙ୍କ ସମ୍ମୁଖରେ ଲମ୍ବା ଧାଡ଼ି ଲଗାଉଛନ୍ତି। ସୋମବାର ରାତି ୩ଟାରୁ ବ୍ୟାଙ୍କ ସମ୍ମୁଖରେ ଶତାଧିକ ଚାଷୀ ଲମ୍ବାଧାଡ଼ି ଲାଗାଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଚାଷୀମାନେ ଲମ୍ବାଧାଡ଼ିରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇଥିବାବେଳେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରି କି କେତେଜଣ ଦୀର୍ଘ ସମୟ ଧରି ଛିଡ଼ାହେବା ପରେ ନିଜର ହେଲ୍‌ମେଟ ଏବଂ ବ୍ୟାଗ୍‌ ଧାଡ଼ିରେ ରଖି ଛାଇର ଆଶ୍ରୟ ନେଉଥିବା ଦେଖିବାକୁ ମିଳିଥିଲା। ଏଭଳି ସମସ୍ୟା ଗତ ସପ୍ତାହ ହେବ ଲାଗି ରହିଥିଲେ କୌଣସି ସମାଧାନ ନ ହେଉଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ବର୍ଷା ଋତୁରେ ଚାଷୀମାନେ ନିଜର ଚାଷକାମ ଛାଡ଼ି ଫସଲବୀମା ରାଶି ଉଠାଇବା ପାଇଁ ବ୍ୟାଙ୍କକୁ ଆସୁଛନ୍ତି। ଫଳରେ ଚାଷୀଙ୍କ ଚାଷକାମ ବାଧାପ୍ରାପ୍ତ ହେବାରେ ଲାଗିଛି। ଲଇକେରା ବ୍ଲକରେ ଏକମାତ୍ର ଏସ୍‌ଡିସିସି ବ୍ୟାଙ୍କ ରହିଥିବାବେଳେ ଏହା ଉପରେ ଲଇକେରା, କିର୍ମିରା ଓ କୋଲାବିରା ବ୍ଲକର ୭ହଜାରରୁ ଊଦ୍ଧର୍‌ବ ଚାଷୀ ନିର୍ଭର କରନ୍ତି। ବୀମାରାଶି ଜମା, ଉଠାଣ ସାଙ୍ଗକୁ ଚାଷୀମାନେ ଋଣ ନେବା ଓ ପରିଶୋଧ କରିବା ଆଦି କାର୍ଯ୍ୟ କରିଥାନ୍ତି। ତେଣୁ ବ୍ୟାଙ୍କରେ ଭିଡ଼ ହେଉଥିବାରୁ ଟଙ୍କା ଉଠାଣ ପାଇଁ ଚାଷୀମାନଙ୍କୁ କ୍ରମିକ ନଂ. ଥିବା ଟୋକନ ଦିଆଯାଉଛି। ଚାଷୀମାନେ ନମ୍ବର ପାଇବା ଲାଗି ବାଧ୍ୟ ହୋଇ ରାତିରୁ ଆସି ଲମ୍ବା ଧାଡ଼ିରେ ଛିଡ଼ା ହେଉଛନ୍ତି। ଏନେଇ ବ୍ୟାଙ୍କର ଶାଖା ପରିଚାଳକ ସେବାରାମ ପଣ୍ଡା କହିଛନ୍ତି, ବ୍ୟାଙ୍କ ଆଗରେ ଲମ୍ବା ଧାଡ଼ି ରହୁଥିବା ଦେଖୁଛୁ। ୩ଟି ବ୍ଲକର ଚାଷୀଙ୍କ ପାଇଁ ଗୋଟିଏ ବ୍ୟାଙ୍କ ହୋଇଥିବାରୁ ଆଗୁଆ ଟଙ୍କା ଉଠାଣ ପାଇଁ ଚାଷୀମାନେ ଧାଡ଼ି ଲଗାଉଛନ୍ତି। ଏ ସମ୍ପର୍କରେ କୋଲାବିରା ବ୍ଲକ ଗୁଡ଼ିଗାଁର ଚାଷୀ ଝସକେତନ ପଟେଲ କହିଛନ୍ତି, ୩ଟି ବ୍ଲକ ପାଇଁ ୩ଟି ଶାଖା ବ୍ୟାଙ୍କ ରହିଲେ ଏଭଳି ଭିଡ଼ ହୁଅନ୍ତା ନାହିଁ। ଆଗୁଆ ଟଙ୍କା ଉଠାଇବା ପାଇଁ ଚାଷୀମାନେ ବ୍ୟାକୁଳ ହେଉଥିବାରୁ ଧାଡ଼ିରେ ଆସି ଛିଡ଼ା ହେଉଛନ୍ତି ବୋଲି ଝସକେତନ କହିଛନ୍ତି।

Share