Categories: ଜାତୀୟ

ରେଷ୍ଟୁରାଣ୍ଟରେ ପିଆଜ ମାଗିବା ପଡ଼ିଲା ମହଙ୍ଗା; ମାଡ଼ ମାରି ଲହୁଲୁହାଣ କଲେ ରେଷ୍ଟୁରାଣ୍ଟ କର୍ମଚାରୀ

କୋଲକାତା,୨୯।୧୨: ପିଆଜ ମାଗିଲେ ବୋଲି ରେଷ୍ଟୁରାଣ୍ଟର କର୍ମଚାରୀ ଜଣେ ଯୁବକଙ୍କୁ ଲହୁଲୁହାଣ କରିଛନ୍ତି। ଏହି ମାମଲାରେ ଉକ୍ତ ରେଷ୍ଟୁରାଣ୍ଟର ମ୍ୟାନେଜରଙ୍କୁ ଗିରଫ କରିନିଆଯାଇଛି। ଘଟଣାଟି କୋଲକାତାର ହାତିବାଗାନ ଅଞ୍ଚଳର। ଦୁଇଜଣ ଯୁବକଙ୍କୁ କଥିତ ଭାବେ ପିଟିବାକୁ ନେଇ ଅଭିଯୋଗ ହେବା ପରେ ପୋଲିସ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅପରପକ୍ଷେ ରେଷ୍ଟୁରାଣ୍ଟ ପକ୍ଷରୁ ସମସ୍ତ ଅଭିଯୋଗ ମିଥ୍ୟା ବୋଲି ଯୁକ୍ତି କରାଯାଉଛି।

ମଦ ପିଇବାକୁ ନେଇ ଝଗଡ଼ା ଆରମ୍ଭ ହୋଇଥିବା ପୋଲିସ କହୁଥିବା ବେଳେ ହୋଟେଲ କର୍ମଚାରୀମାନେ କହିଛନ୍ତି, ୪ଜଣ ଯୁବକ ରାତି ୧୧ଟାରେ ହୋଟେଲରେ ଖାଇବା ଲାଗି ଆସିଥିଲେ। ସେମାନେ ଖାଦ୍ୟ ଅର୍ଡର ମଧ୍ୟ କରିଥିଲେ। ଏହି ସମୟରେ ସେମାନେ ପ୍ଲାଷ୍ଟିକ ବୋତଲରେ ମଦ ଆଣିଥିବା ଦେଖିବାକୁ ମିଳିଥିଲା। ଏହା ଦେଖି ରେଷ୍ଟୁରାଣ୍ଟ କର୍ମଚାରୀ ରୋକିଥିଲେ। ଫଳରେ ସେମାନେ ଆକ୍ରାମକ ହୋଇଯାଇଥିଲେ।

ଯୁବକଙ୍କ ଭଉଣୀ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ ଲେଖି କହିଛନ୍ତି, ଡିସେମ୍ବର ୨୬ ବିଳମ୍ବିତ ରାତିରେ ମୋ ଭାଇ ନନ୍ଦ ଦେଶାଇ(୨୩) ନିଜ ବନ୍ଧୁମାନଙ୍କ ସହ ରେଷ୍ଟୁରାଣ୍ଟ ଯାଇଥିଲେ। ସେଠାରେ ମୋ’ ଭାଇ ଖାଦ୍ୟ ଅର୍ଡର କରିଥିଲେ। ହେଲେ ସେଠାକାର କର୍ମଚାରୀ ଖାଇବା ପରସିବା ପୂର୍ବରୁ ଟଙ୍କା ଜମା କରିବାକୁ କହିଥିଲେ। ମୋ ଭାଇ ପିଆଜ ମାଗିଥିଲେ। ଏହାକୁ ଓ୍ବେଟର ଅଗ୍ରାହ୍ୟ କରିଥିଲେ। ପରେ ଉଭୟଙ୍କ ମଧ୍ୟରେ ସମ୍ୟକ ବିବାଦ ଦେଖାଦେଇଥିଲା। ସେତେବେଳେ ସେଠାରେ ୧୫ କର୍ମଚାରୀ ଥିଲେ। ସେଥିମଧ୍ୟରୁ ଜଣେ କର୍ମଚାରୀ ହଠାତ ମୋ ଭାଇଙ୍କ ମୁଣ୍ଡକୁ ଛୁରୀ ଏବଂ ଲୁହା ଛଡ଼ରେ ଆକ୍ରମଣ କରିଥିଲେ। ପରେ ତାଙ୍କ ବନ୍ଧୁ ନବନୀତ୍‌ଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଯେତେବେଳେ ସେମାନେ ବେହୋସ ହୋଇଯାଇଥିଲେ ସେତେବେଳେ ରେଷ୍ଟୁରାଣ୍ଟ ବାହାରେ ସେମାନଙ୍କୁ ଫିଙ୍ଗି ଦିଆଯାଇଥିଲା। ସେମାନେ ସେଠାର ଶର୍ଟର ପକାଇଦେଇଥିଲେ। ଆମକୁ ନ୍ୟାୟ ଦିଅନ୍ତୁ। ପୋଲିସକୁ ଖବର ନ ଦେଇ ଏଭଳି ଆକ୍ରମଣକୁ ସେ ନିନ୍ଦା କରିବା ସହ ଘଟଣାର ନିରପେକ୍ଷ ତଦନ୍ତ ସେମାନେ ଆଶା କରିଛନ୍ତି।

Share