Categories: ଖେଳ

ଆରସିବିକୁ ବଞ୍ଚାଇ ଦେଲେ ଡି’ ଭିଲିୟର୍ସ

ଚେନ୍ନାଇ, ୯ା୪- ବୋଲରଙ୍କ ଘାତକ ବୋଲିଂ ଓ ପରେ ଅଧିନାୟକ ବିରାଟ କୋହଲି ଏବଂ ଗ୍ଲେନ ମ୍ୟାକ୍ସଓ୍ବେଲଙ୍କ ମଧ୍ୟରେ ଅର୍ଦ୍ଧଶତକୀୟ ଭାଗିଦାରୀତା ପରେ ମଧ୍ୟ ସଂଘର୍ଷ କଲା ଆର୍‌ସିବି। କିନ୍ତୁ ବଞ୍ଚେଇ ଦେଲେ ଏବି ଡି’ ଭିଲିୟର୍ସ। ୧୬୦ ରନ୍‌ର ଛୋଟିଆ ଟାର୍ଗେଟ ଛିଡ଼ା କରିବା ପରେ ମଧ୍ୟ ପ୍ରାୟ ମ୍ୟାଚ୍‌ ଛଡ଼ାଇ ନେଇଥିଲା ମୁମ୍ବାଇ ଇଣ୍ଡିଆନ୍ସ। ଜିତିବା ପାଇଁ ୧୬୧ ରନ୍‌ର ଦରକାର ଥିବାବେଳେ ଆରସିବିକୁ ଅନ୍ତିମ ବଲ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। ଚଳିତ ଆଇପିଏଲର ପ୍ରଥମ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳ ଦୁଇ ଉଇକେଟରେ ମୁମ୍ବାଇକୁ ହରାଇ ଦେଇଛି। ମ୍ୟାଚ୍‌ର ମଜା ନେଉଥିଲେ ବିସିସିଆଇ ସଭାପତି ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି।

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ କୋହଲି। ଏହାକୁ ସଠିକ୍‌ ପ୍ରମାଣ କରିଥିଲେ ହର୍ଶଲ ପଟେଲ। ତାଙ୍କ (୫ ଉଇକେଟ) ବୋଲିଂ ଯୋଗୁ ମୁମ୍ବାଇ ଶେଷ ପର୍ଯ୍ୟନ୍ତ ଖେଳି ମୁମ୍ବାଇ ଦଳ ୯ ଉଇକେଟ ହରାଇ ୧୫୯ ରନ୍‌ କରିବାକୁ ସକ୍ଷମ ହୋଇଥିଲା। କ୍ରିସ ଲିନ ୪୯ ଓ ସୂର୍ଯ୍ୟକୁମାର ଯାଦବ ୩୧ ରନ୍‌ କରିଥିଲେ। ଆରସିବି ପାଇଁ ହର୍ଶଲଙ୍କ ବ୍ୟତୀତ ଓ୍ବାଶିଂଟନ ସୁନ୍ଦର ଓ କାଇଲ ଜେମିସନ ଗୋଟିଏ ଲେଖାଏ ଉଇକେଟ ହାତେଇଥିଲେ। ଜବାବରେ ଆରସିବିକୁ ଭଲ ଆରମ୍ଭ ଦେଇଥିଲେ ଅଧିନାୟକ କୋହଲି (୩୩) ଓ ଗ୍ଲେନ ମ୍ୟାକ୍ସଓ୍ବେଲ (୩୯)। ଏହା ସତ୍ତ୍ୱେ ଜିତିବା ପାଇଁ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିଥିଲା ଆରସିବି। ଶେଷରେ ମ୍ୟାଚ୍‌ ଓ୍ବିନିଂ ପାରି ଖେଳିଥିଲେ ଡି ଭିଲିୟର୍ସ (୪୮)। ୮ ଉଇକେଟ ହରାଇ ୧୬୦ ରନ୍‌ କରି ମ୍ୟାଚ୍‌ ଜିତି ନେଇଥିଲା ଆରସିବି।

Share