ଦୁବାଇ, ୧୮ା୯ (ପି.ଟି.)-କୋଭିଡ୍ ହିରୋଙ୍କୁ ସମ୍ମାନ ଜଣାଇ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ଖେଳାଳିମାନେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ସାରା ସ୍ବତନ୍ତ୍ର ଜର୍ସି ବ୍ୟବହାର କରିବେ। ଜର୍ସିର ପଛ ପଟେ ଲେଖା ଥିବ ‘ମାଇଁ କୋଭିଡ୍ ହିରୋଜ୍’। ଏହା ମାଧ୍ୟମରେ ମହାମାରୀ ବିରୋଧରେ ଲଢେଇ କରୁଥିବା ଫ୍ରଣ୍ଟ୍ ଲାଇନ୍ ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାକୁ ଚାହୁଁଛି ଆରସିବି। ପୁନଶ୍ଚ ସିଜନର ପ୍ରଥମ ମ୍ୟାଚ୍ରେ ଆରସିବିର ଖେଳାଳିମାନେ ଯେଉଁ ଜର୍ସି ବ୍ୟବହାର କରିବେ ଏହାକୁ ସେମାନେ ନିଲାମ ପାଇଁ ଚ୍ୟାରିଟି ସଂସ୍ଥା ଗିଭ୍ ଇଣ୍ଡିଆ ଫାଉଣ୍ଡେଶନକୁ ଦାନ କରିବେ। ଆରସିବି ଚେୟାରମ୍ୟାନ ସଞ୍ଜୀବ ଛୁରିଓ୍ବାଲା, ଅଧିନାୟକ ବିରାଟ କୋହଲି, ପାର୍ଥତ୍ବ ପଟେଲ ଏବଂ ଯୁବ ଓପନର ଦେବଦତ୍ତ ପାଡିକଲଙ୍କ ଉପସ୍ଥିତିରେ ଭର୍ଚୁଲା ଜର୍ସି ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଜର୍ସିରେ ବିଜ୍ଞାପନ ଭରି ରହିଥାଏ। ମାତ୍ର ଜୀବନକୁ ବାଜି ଲଗାଇ ମହାମାରୀ ବିରୋଧରେ ଚାଲିଥିବା ଲଢେଇରେ ସାମିଲ ହୋଇଥିବା କୋଭିଡ୍ ହିରୋଙ୍କୁ ସମ୍ମାନ ଜଣାଇବା ଉଚିତ ବୋଲି ଛୁରିଓ୍ବାଲା କହିଛନ୍ତି।